ଅନୁଗୋଳ (ଏଟିଆର ବ୍ୟୁରୋ); ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ଗାଡି ଦୁର୍ଘଟଣାଗସ୍ତ । ବିଧାୟକଙ୍କ ସହ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଭଗବାନଙ୍କ ଦୟାରୁ ଆହତମାନଙ୍କୁ ଉଦ୍ଧାର କରିବା ପରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ତେବେ ଏହି ଦୁର୍ଘଟଣା ଘଟିଛି ଅନୁଗୋଳଠାରୁ ପ୍ରାୟ ୧୫ କିଲୋମିଟର ଦୂର ଆଠଗଡ ରାସ୍ତାର ଖନ୍ଦାନଳା ନିକଟରେ । ବିଧାୟକଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ତାଙ୍କ ସମର୍ଥକମାନେ ଦୁଃଖ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ରାତି ୩ଟା ବେଳେ ବିଧାୟକଙ୍କ ସହ ୩ଜଣ କୋଟିଏ କାରରେ ସୁନ୍ଦରଗଡରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ତେବେ ଆଠଗଡ ଖନ୍ଦାନଳା ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ପରେ କାରଟି ରାସ୍ତା କଡକୁ ଖସି ପଡିଥିଲା । ଏହାପରେ କାରରୁ ଧୂଆଁ ବାହାରିଥିଲା । ସେହି ସମୟରେ ଏକ ବରଯାତ୍ରୀ ଗାଡି ସେହି ରାସ୍ତା ଦେଇ ଯାଉଥିଲା । ସେମାନେ କାରକୁ ଦୁର୍ଘଟଣାକୁ ଦେଖିବା ପରେ ବିଧାୟକ ଏବଂ ତିନି ଜଣଙ୍କୁ ପ୍ରଥମେ ଉଦ୍ଧାର କରି ବାହାରକୁ ନେଇ ଆସିଥିଲେ । କାରରୁ ଉଦ୍ଧାର କରି ବାହାରକୁ ଆଣିବାର କିଛି ସମୟ ପରେ କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା ।
ଏହାପରେ ବରଯାତ୍ରୀ ମାନେ ବିଧାୟକ ଏବଂ ବାକି ୩ ଜଣଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା କରିବା ପରେ ବିଧାୟକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି ।ସୂଚନା ଯୋଗ୍ୟ,କଂଗ୍ରେସ ପକ୍ଷରୁ ଯୋଗେଶ ସୁନ୍ଦରଗଡରେ ବିଧାୟକ ହୋଇଥିଲେ । କିନ୍ତୁ ନିକଟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଯୋଗେଶ ।