ଭୁବନେଶ୍ୱର,(ଏଟିଆରବ୍ୟୁରୋ): କଟକ ବିଏସଏନଏଲ ଅଫିସରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ଅଫିସର ୪ମହଲାରେ ଥିବା କାର୍ଯ୍ୟାଳୟରେ ଅଚାନକ୍ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଧୂଆଁ ବାହାରିବାରୁ ଭିତରେ ଥିବା କର୍ମଚାରୀମାନେ ଭୟଭିତ ହୋଇ ପଡିଥିଲେ । ଜୀବନ ବଂଚାଇବା ଆଶାରେ ସେମାନେ ତଳକୁ ଦୌଡି ପଳାଇ ଆସିଥିଲେ । ପରେ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ଲିଭାଇବାକୁ ପାଖାପାଖି ୫ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ସବୁଠୁ ବଡ଼ କଥା ଥିଲା ଅଗ୍ନିଶମ କର୍ମଚାରୀମାନେ ସିନା ତୁରନ୍ତ ନିଆଁକୁ ଲିଭାଇ ଦେଇଥିଲେ ହେଲେ ଧୂଆଁ ବାହାରିବା ବନ୍ଦ ହୋଇନଥିଲା । ଫଳରେ ଧୂଆଁକୁ ବନ୍ଦ କରିବାକୁ ନାକେଦମ ହେବାକୁ ପଡିଥିଲା ଅଗ୍ନିଶମ କର୍ମଚାରୀଙ୍କୁ । ଅକ୍ସିଜେନ୍ ମାସ ଲଗାଇ ଶେଷରେ କର୍ମଚାରୀମାନେ ଧୂଆଁକୁ ବନ୍ଦ କରିଥିଲେ । ନିଆଁ ଲାଗିବା ଯୋଗୁ ଏବେ କଟକରେ ବିଏସଏନଏଲ ସେବା ଠପ ହୋଇଯାଇଛି । କେବଳ ଏତିକି ନୁହେଁ ଅଗ୍ନିକାଣ୍ଡ ଯୋଗୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ଯାଇଥିବା ସୂଚନା ମିଳିଛି ।
ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ସଟସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏନେଇ ଅଧିକ ତଦନ୍ତ ଚଳାଇଛି ଅଗ୍ନିଶମ ବିଭାଗ ।