କଳାହାଣ୍ଡି (ଏଟିଆର ବ୍ୟୁରୋ); ସନ୍ଦେହ ଘେରରେ ଅଜଣା ଯୁବତୀଙ୍କ ମୃତ୍ୟୁ । ଗଛରେ ଟଙ୍ଗା ହୋଇ ରହିଛି ଯୁବତୀଙ୍କ ମୃତ ଦେହ । କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଆଉ କେହି କେହି ଏହାକୁ ହତ୍ୟାର ରୂପ ଦେଉଛନ୍ତି । ତେବେ ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆବନ୍ଧପଡାଗାଁରେ । ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।
ପୋଲିସ ସୂଚନା ମୁତାବକ ମଙ୍ଗଳବାର ସକାଳୁ ସକାଳୁ ସ୍ଥାନୀୟ ଲୋକ ଗଛରେ ଝୁଲୁଥିବା ଯୁବତୀଙ୍କୁ ଦେଖିଥିଲେ । ପ୍ରଥମେ ସେମାନେ ଭୟ କରି ଯାଇଥିଲେ । ପରେ ପାଖକୁ ଯାଇ ଦେଖିଥିଲେ କି ଏହି ଯୁବତୀ ଜଣକ କିଏ? ସ୍ଥାନୀୟ ଅଞ୍ଚଳର ନୁହେଁ ତ? ଏମିତି ଭାବି ଭାବି ମୃତ ଦେହ ପାଖକୁ ଯାଇ ଦେଖିଥିଲେ । ତେବେ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଜମି ଯାଇଥିଲା ।
ତେବେ ଏହି ଯୁବତୀ କିଏ? ହତ୍ୟା ନଁ ଆତ୍ମହତ୍ୟ? ଏଭଳି ଅନେକ ପ୍ରଶ୍ନ ଉଠିଛି ସମସ୍ତଙ୍କ ମନରେ । ପୋଲିସ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ପରିଚୟ ମିଳିବା ପରେ ସବୁକିଛି ଜଣା ପଡିଯିବ ବୋଲି ପୋଲିସ ସୂଚନା ଦେଇଛି । ପ୍ରେମ ଜନିତ କାରଣରୁ ବୋଧ ହୁଏ ଯୁବତୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସ୍ଥାନୀୟ ଲୋକ କଥା ହେଉଛନ୍ତି ।