ମୁମ୍ବାଇ(ଏଟିଆର ବ୍ୟୁରୋ): ଗତ କାଲି ବିଳମ୍ବିତ ରାତିରେ ଉତ୍ତର ମହାରାଷ୍ଟ୍ର ଘୁଲେ ଅଞ୍ଚଳରେ ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ପିକଅପ ଭ୍ୟାନଟି ପୋଲରୁ ନଦୀକୁ ଖସି ପଡିବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨.୩୦ରୁ ୩ଟା ମଧ୍ୟରେ ଶିରି ଅଞ୍ଚଳରୁ ବିଂଛୁର କୁ ଯାଉଥିବା ଏକ ପିକଅପ ଭ୍ୟାନ ପୋଲ ଉପରୁ ବରି ନଦୀ ମଧ୍ୟକୁ ଖସିପଡିଥିଲା । ଦୁର୍ଘଟଣା ଘଟିବା ପୂର୍ବରୁ ପିକଅପ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବାର ସୂଚନା ମିଳିଛି । ତେବେ ବରି ନଦୀ ଉପରେ ଯାଇଥିବା ପୋଲ ଉପରେ ଭ୍ୟାନଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଥିଲା ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ସ୍ଥାନୀୟ ଲୋକ ଓ ପୋଲିସ ଆହତ ମାନଙ୍କୁ ଉଦ୍ଧାର କରି ବୈଦେକୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବାରୁ ଏଭଳି ଘଟଣା ଘଟିଥିବାର ପୋଲିସ ସନ୍ଦେହ କରୁଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଦୁର୍ଘଟଣାର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ମୃତକ ମାନେ ମଧ୍ୟପ୍ରଦେଶ ବଡାବାଣି ଗ୍ରାମର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ଥିବାର ଜଣାପଡିଛି ।