କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ରବିବାର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ମଣ୍ଡପଡା ଗାଁର ସଂଜୟ ପ୍ରଧାନଙ୍କୁ କୁମ୍ଭୀର ଟାଣି ନେଇଥିଲା । ଗତକାଲି ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ମୃତ ଦେହ ମିଳିନଥିଲା । ତେବେ ଆଜି ସକାଳେ ହରିଜନ ସାହି ତୁଠରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଆଜି ସକାଳେ ହରିଜନ ସାହି ତୁଥରେ ସଂଜୟଙ୍କ ମୃତ ଦେହକୁ ଦେଖିବା ପରେ ପ୍ରଥମେ ଭୟ କରିଯାଇଥିଲେ ଲୋକ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା । ପରିବାର ଲୋକ ପୁଅର ମୃତଦେହକୁ ଦେଖିବା ପରେ କାନ୍ଦ ବୋବାଳି ପକାଇଥିଲେ । ତେବେ ଗତକାଲି କୁମ୍ଭୀର ଭିଡି ନେବା ପରଠାରୁ ନଦୀରେ ଗାଧୋଇବା ପାଇଁ ଭୟ କରିଯାଇଛନ୍ତି ସ୍ଥାନୀୟ ଲୋକ ।
ସୂଚନାଯୋଗ୍ୟ,ରବିବାର ବୈତରଣୀ ନଦୀରେ ପ୍ରଧାନ ସାହି ତୁଥରେ ଗାଧୋଉଥିଲେ ସଂଜୟ । କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ପାଖରେ ଥିବା ଲୋକମାନେ ତାଙ୍କ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ବିଫଳ ହୋଇଥିଲେ । ପରେ ଅଗ୍ନିଶମ କର୍ମଚାରୀ ମଧ୍ୟ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ପତ୍ତା ମିଳିନଥିଲା । ତେବେ ଆଜି ସକାଳେ ତାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ଲୋକ । ପୂର୍ବରୁ ଅନେକ ଲୋକ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ।