କଟକ (ଏଟିଆର ବ୍ୟୁରୋ); ଶନିବାର ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ଓହ୍ଲାଉଥିବା ବେଳେ ଶ୍ରମିକଙ୍କ ଉପରେ କାଠ ପଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମାନଓ ପ୍ରଧାନ । ତାଙ୍କ ଘର ନୟାଗଡ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ରଥଗାଁରେ । ତେବେ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିବା ସାଥୀ ଶ୍ରମିକ କହିଛନ୍ତି ।
ଗତକାଲି ରଥ ନିର୍ମାଣ ପାଇଁ ଦଶପଲ୍ଲା ବନଖଣ୍ଡରୁ ଧୌରା ଓ ଅସନ ମିଶି ପଚିଶି ଖଣ୍ଡ କାଠ ଆସିଥିଲା । ତେବେ ସେହି କାଠକୁ ବନ ବିଭାଗ କର୍ମଚାରୀ ଟ୍ରକରୁ ବାହାର କରୁଥିବା ବେଳେ ମାନସଙ୍କ ଗୋଡରେ ପଡିଯାଇଥିଲା । କାଠ ତାଙ୍କ ଛାତିରେ ଏବଂ ଗୋଡରେ ମାଡ ହୋଇଥିବା ଶୁଣିବାକୁ ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ମାନସଙ୍କ ସାଥୀ ଶ୍ରମିକ ଅଭିଯୋଗ କରିଛନ୍ତି କି ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ତାଙ୍କ ଗୋଡର ଚିକିତ୍ସା କରାଯାଇ ସାଲାଇନ ଲଗାଯାଇଥିଲା । ସେ କାଜୁଆଲିଟିରେ ଥିବା ବେଳେ କଥାବାର୍ତ୍ତା ମଧ୍ୟ କରୁଥିଲେ । କିନ୍ତୁ ଛାତିରେ କୌଣସି ଟେଷ୍ଟ କରାଯାଇନଥିବା କୁହାଯାଉଛି । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସାଥୀ ଶ୍ରମିକ କହୁଛନ୍ତି ।