କଳାହାଣ୍ଡି (ଏଟିଆର ବ୍ୟୁରୋ); ସ୍ଥାନୀୟ କୋକସରା ବ୍ଳକ ଜୟନ୍ତପୁର କଲୋନୀରେ ଘଟିଛି ଅଭାବନୀୟ ଘଟଣା । ଚଉଠି ପୂର୍ବରୁ ସନ୍ଦେହ ଜନକ ଭାବରେ ନବ ବଧୁଙ୍କ ମୃତ୍ୟୁ ହୋଇଛି । ଜୟନ୍ତପୁର କଲୋନୀର ସୁମନ୍ତ ଜାଲଙ୍କ ସ୍ତ୍ରୀ ତାରା ଜାଲଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ତେବେ ତାରାଙ୍କ ବାପ ଘର ଲୋକ ଆସିନଥିବାରୁ ପୋଲିସ ବ୍ୟବଛେଦ ପାଇଁ ନେଇନାହିଁ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ । କିନ୍ତୁ ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନା ମୁତାବକ କୋବସରା ବ୍ଳକ ଅନ୍ତର୍ଗତ ଟେମରା ଗାଁର ତାରା ଜାଲଙ୍କ ସହ ଜୟନ୍ତପୁର କଲୋନୀର ସୁମନ୍ତ ଜାଲଙ୍କ ସହିତ ପାରମ୍ପରିକ ରୀତିରେ ଗତ ୩ ତାରିଖରେ ବିବାହ ହୋଇଥିଲା । ବିବାହର ସାତ ଦିନ ପରେ ବୁଢ଼ାରଜା ଠାକୁରଙ୍କ ଦର୍ଶନ କରିବା ପରେ ଚଉଠି କରାଯାଏ ବୋଲି ସେମାନଙ୍କ ପରମ୍ପରା ରହିଛି । ଏଣୁ ଆଜି ଉଭୟ ଦମ୍ପତି ଠାକୁରଙ୍କ ପାଖକୁ ଯିବା କଥା । କିନ୍ତୁ ସକାଳୁୁ ନିଜ ରୁମ ଭିତରେ କବାଟ ବନ୍ଦ କରି ରହିଥିଲେ ତାରା । ଶାଶୁ ଶ୍ୱଶୁର ଯେତେ ଡାକିଥିଲେ ସୁଦ୍ଧା ସେ କବାଟ ଖୋଲି ନଥିଲେ । ତେବେ କବାଟ ନଖୋଲିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା ।
ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ଶାଶୁଘର ଲୋକ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି କବାଟ ଭାଙ୍ଗି ମୃତ ଦେହକୁ ଉଦ୍ଧାର କରିଥିଲା । ତେବେ ବାପଘର ଲୋକ ଆସିନଥିବାରୁ ବ୍ୟବଛେଦ ପାଇଁ ନିଆଯାଇନାହିଁ । ତାରା ଆଗରୁ ଆଉ କାହା ସହିତ ପ୍ରେମ ସମ୍ପର୍କରେ ଥିଲେ । ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । ବିବାହ ପରେ ତାଙ୍କ ସହିତ ଫେରାର ହେବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କ ପ୍ରେମିକ ମନା କରିବାରୁ ଏଭଳି ଆତ୍ମହତ୍ୟା କରିଛନ୍ତି ବୋଲି ଗାଁଲୋକ ଟୁପୁରୁ ଟାପୁରୁ ହେଉଛନ୍ତି ।