କେନ୍ଦୁଝର (ଏଟିଆର ବ୍ୟୁରୋ); ବିଷାକ୍ତ ଖାଦ୍ୟ ଚାଲିଗଲା ଜଣଙ୍କର ଜୀବନ । ସେପଟେ ଆହୁରି ୧୧ ଜଣ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏଭଳି ଏକ ଦଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କୁରୁମୁଙ୍ଗ ଥାନା ଅନ୍ତର୍ଗତ ନୂଆଗାଁରେ । ମୃତକ ହେଲେ ମିଟୁ ନାୟକ । ମିଟୁ ବାହାଘରରେ ଟେଣ୍ଟ କାମ କରିବା ପାଇଁ ଆସିଥିଲେ । ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି ।
ମିଳିଥିବା ସୂଚନା ମୁତାବକ ନୂଆଗାଁ ଅଞ୍ଚଳର ଗୋଲାପ ନାୟକଙ୍କ ଆଜି ବାହାଘର । ଏଣୁ ତାଙ୍କର ଟେଣ୍ଟ ଗତକାଲି ରାତିରେ ବନ୍ଧା ହେଉଥିଲା । ଟେଣ୍ଟ କାମ ମରିବା ପାଇଁ ଆସିଥିବା ଲୋକଙ୍କ ପାଇଁ ଗୋଲାପଙ୍କ ଘରେ ରୋଷେଇ ହୋଇଥିଲା । ତେବେ ଘରେ ରୋଷେଇ ହୋଇଥିବା ଭାତ,ଡାଲି,ତରକାରୀ ଏବଂ ଖଟାକୁ ଟେଣ୍ଟ କର୍ମଚାରୀମାନେ ଖାଇଥିଲେ । ସେମାନଙ୍କ ସହିତ ଗୋଲାପଙ୍କ ୪ ଜଣ ସମ୍ପର୍କୀୟ ମଧ୍ୟ ଏହି ଖାଦ୍ୟକୁ ଖାଇଥିଲେ । କିଛି ସମୟ ପରେ ଏହି ଖାଦ୍ୟ ଖାଇଥିବା ଲୋକମାନଙ୍କର ବାନ୍ତି ହୋଇଥିଲା । ଏଣୁ ସେମାନଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ପରେ ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବାଟରେ ମିଟୁଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ତେବେ ଏହି ଖାଦ୍ୟରେ କିଛି ବିଷାକ୍ତ ଜୀବ ପଡି ଯାଇଥିବା ଅନୁମାନ କରାଯାଇଛି । ଝିଟିପିଟି ଏବଂ ଚମ୍ପେଇନୋଳି ପଡିଯାଇଥିବା ଅନୁମାନ କରାଯାଉଛି । ଖାଦ୍ୟକୁ ପରୀକ୍ଷା କରିବା ପରେ ପ୍ରକୃତ କଣ ପାଇଁ ଏଭଳି ଘଟିଲା ଜଣାପଡିବ ।