ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମରଣ । ପାଇପ ଲାଇନ ଚାମ୍ବର ଭିତରେ କାମ କରୁଥିବା ବେଳେ ହଠାତ ପାଣି ଆସିବାରୁ ଜଣେ ପ୍ଳମ୍ବର ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବି.ରୁଦ୍ର ଦୋରା । ସେ ଇନ୍ଦ୍ରଧନୁ ମାର୍କେଟ ପାଖ ଗଣପତି ନଗର ବସ୍ତିର ବାସିନ୍ଦା । ସେ ଭିଏସଏସନଗର ଅଞ୍ଚଳରେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ପାଇପ ଲାଇନ କାମ ହେଉଥିବା ବେଳେ ପାଣି କିଭଳି ଭାବରେ ଛଡା ହେଲା ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ବିଭାଗୀୟ ଅଧିକାରୀଙ୍କୁ କଣ ଜଣା ନଥିଲା କି ସେଠାରେ କାମ ଚାଲିଛି?
ମିଳିଥିବା ସୂଚନା ମୁତାବକ ବୁଧବାର ଭିଏସଏସନଗର ଅଞ୍ଚଳରେ ରୁଦ୍ର ଚାମ୍ବର ଭିତରେ କାମ କରୁଥିବା ବେଳେ ହଠାତ ପାଣି ପଳାଇ ଆସିଥିଲା । ଫଳରେ ସେ ବାହାରକୁ ଆସିବା ପାଇଁ ଚେଷ୍ଟା କରିଥିଲେ । ଏବଂ ସ୍ଥାନୀୟ ଲୋକ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ସତଚେଷ୍ଟା କରିଥିଲେ । କିନ୍ତୁ ସବୁ ବିଫଳ ହୋଇଥିଲା । ଶେଷରେ ରୁଦ୍ରଙ୍କର ମୃତ୍ୟୁ ହୋଇଥିଲା । ପାଇପ ଲାଇନ କାମ ହେଉଥିବା ବେଳେ ପାଣି କିଭଳି ଛଡା ହେଲା ଏଣୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହିତ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।