କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମୃତ୍ୟୁ । ଦୁନିଆ ଦେଖିବାର ମାତ୍ର କେଇ ଘଣ୍ଟାରେ ଆଖି ବୁଜିଲା ନବଜାତ ଶିଶୁ । କେନ୍ଦ୍ରାପଡା ୫ ନମ୍ବର ଜାତୀୟ ରାଜପଥ ଖମାରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପ୍ରସୂତି ପରେ ଅଟୋରେ ଆସୁଥିବା ମହିଳା ଏବଂ ତାଙ୍କ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ସହ ଅଟୋରେ ଆସୁଥିବା ପରିବାର ଲୋକ ଏବଂ ଆଶା ଦିଦିଙ୍କୁ ମିଶାଇ ୪ଜଣ ଗୁରୁତର ଆହତ ହୋଇଛନ୍ତି ।
ଶନିବାର ସକାଳେ ଛୁଆ ହେବା ପରେ ଖୁସିରେ ଘରକୁ ଫେରିଥିଲେ । ତେବେ ସେମାନଙ୍କ ଖୁସି ଉପରେ ଯେମିତି କାହାର ନଜର ଲାଗି ଯାଇଥିଲା । ଅଟୋରେ ଆସୁଥିବା ବେଳେ ଖମାର ନିକଟରେ ଦୃତ ବେଗରେ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମା ଏବଂ ଶିଶୁଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆହତ ମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଅକାଳରେ ମା ଏବଂ ଶିଶୁର ଜୀବନ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକଙ୍କ ପରିବାରକୁ କ୍ଷତି ପୂରଣ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଆହତଙ୍କ ମଧ୍ୟରେ ଆଶା ଦିଦି ମଧ୍ୟ ଅଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡାଇଭର ଫେରାର ହୋଇ ଯାଇଛି ।