ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କହି ଦେଉଥାଇ ପରକୁ ବୁଦ୍ଧି ନଦିଶଇ ଘରକୁ । ଏ କଥା ଆମେ ଏଥିପାଇଁ କହୁଛୁ ଯେତେବେଳେ ରାଜ୍ୟର ସବୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିଲା ଠିକ ସେହି ସମୟରେ ଦୈନିକ ଖବର କାଗଜ ପ୍ରମେୟ ଓ ରାଜ୍ୟର ଏକ ନମ୍ବର ଟିଭି ଚ୍ୟାନେଲ ବୋଲି ଦାବି କରୁଥିବା ନ୍ୟୁଜ ୭ ସାମ୍ନାକୁ ଆସି ମନଇଚ୍ଛା ବର୍ଷୁଥିଲେ । ଏପରିକି ଘଟଣାକୁ ନେଇ ଘଣ୍ଟା ଘଣ୍ଟା ଲାଇଭ ସୋ ବି କରୁଥିଲେ ।
ବ୍ରେକିଂ ନ୍ୟୁଜ୍, ବିଗ ଡିବେଟ, ବଡ଼ ଖବର ଆମ ନଜର ସବୁ ସେଗେମେଣ୍ଟରେ ତ’ ଯାଉଥିଲା ସାମ୍ବାଦିକ ଉପରେ ଆକ୍ରମଣର ବର୍ବରଚିତ ଖବର । ହେଲେ ଆଶ୍ଚର୍ଯ୍ୟର କଥା ପ୍ରମେୟ ଓ ନ୍ୟୁଜ୭ ଗ୍ରୁପର ଜଣେ ସାମ୍ବାଦିକ ବିଜୁ ଛାତ୍ର ଜନତା ଦଳର କର୍ମୀଙ୍କ ମାଡ଼ରେ ସିନେମା ହଲରେ ଲହୁଲୁହାଣ ହେଲେ । ଅଥଚ ନା ପ୍ରମେୟ ନା’ ନ୍ୟୁଜ୭ କେହି ଏହାକୁ ଗୁରୁତ୍ୱ ଦେଲେନାହିଁ । ଯେତେବେଳେ କି ବାକି ଗଣମାଧ୍ୟମରେ ସାମ୍ବାଦିକଙ୍କୁ ଆକ୍ରମଣର ଖବର ଟପମୋଷ୍ଟରେ ରହିଥିଲା ଠିକ ସେତିକିବେଳେ ନ୍ୟୁଜ୭ର ଡିଜିଟାଲ ୱେବପୋର୍ଟାଲରେ ମାଡ଼ ଖାଇଥିବା ପ୍ରମେୟର ସାମ୍ବାଦିକ ହୋଇଯାଇଥିଲେ ସାବତ ପୁଅ ।
କାରଣ ୱେବ ପୋର୍ଟାଲରେ ଯେଉଁ ଖବର ପ୍ରକାଶ ପାଇଥିଲା ସେଥିରେ ଧାଡିଟିଏ ବି ଆକ୍ରମଣକାରୀ ନାଁ ହେଉ ଅବା ମାଡ଼ ଖାଇଥିବା ସାମ୍ବାଦିକ, କାହାରି ନାଁ ପ୍ରକାଶ ପାଇନଥିଲା । ଏଠି କହି ରଖିବା ଉଚିତ ହେବ ଗତ ଗାନ୍ଧୀ ଜୟନ୍ତୀରେ ଓଡିଶାର ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ନ୍ୟୁଜ୭ର ମୁଖ୍ୟ ସମ୍ପାଦକଙ୍କ ନେତୃତ୍ୱରେ ଶତାଧିକ ସାମ୍ବାଦିକ ରାସ୍ତାକୁ ଓହ୍ଲାଇଥିଲେ । କିନ୍ତୁ ନିଜ ବେଳକୁ ବଡ଼ ଖବରରେ ତାଙ୍କ ନଜର କେମିତି ରହିଲା ନାହିଁ ବୋଲି ପ୍ରଶ୍ନ ଉଠିଛି । କହିବା ବାହୁଲ୍ୟ ମାଡ଼ ଖାଇଥିବା ସାମ୍ବାଦିକ ଜଣଙ୍କ ହେଲେ ପ୍ରମେୟର ବରିଷ୍ଠ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ।
ଗତକାଲି ମହାରାଜା ସିନେମା ହଲରେ ବିସିଜେଡି ସମର୍ଥକଙ୍କ ଅଭଦ୍ରଚିତ ଆକ୍ରମଣକୁ ବିରୋଧ କରି ଆକ୍ରମଣର ଶିକାର ହୋଇଥିଲେ ସେ । ଏନେଇ ପ୍ରମେୟ ଖବର କାଗଜର ବ୍ୟୁରୋ ଚିଫ୍ କିଛି ହ୍ୱାଟ୍ସଆପ ଗ୍ରୁପରେ ଏହି ଖବର ପୋଷ୍ଟ କରିଥିଲେ । କିନ୍ତୁ ଏହାଠୁ ଅଧିକ ଆଉ କିଛି ହୋଇନଥିଲା । ପ୍ରମେୟ ଓ ନ୍ୟୁଜ୭ର ଏହି କାର୍ଯ୍ୟ ପୁଣି ଥରେ ଚେତେଇ ଦେଇଛି ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକର ଖବର ମିସ ହୋଇଗଲେ ମାଫ କରେନି ସଂସ୍ଥା । କିନ୍ତୁ ସେହି ସଂସ୍ଥାର କର୍ମଚାରୀ ମାଡ ଖାଇଲେ ବୁଝେଇ ଦିଆଯାଏ ତୁମେ ହ୍ୟାଣ୍ଡେଲ କରିପାରୁନ ।
ଶେଷରେ ଏତିକି କହିବୁ ଗଣମାଧ୍ୟମ ଓ ଗଣମାଧ୍ୟମ ସହ ଜଡିତ କୌଣସି ବ୍ୟକ୍ତି ମାଡ ଖାଇଲେ ବା ଆକ୍ରମଣର ଶିକାର ହେଲେ କାହାକୁ କିଛି ନକହି ଚୁପଚାପ ରହିଯାଅ । ନଚେତ ନା ସଂସ୍ଥା ନା’ ପୁଲିସ ଅବା ହେଉ ସରକାର କେହି ପିଠିରେ ପଡିବେ ନାହିଁ । ଓଲଟି ଭରା ପବ୍ଲିକରେ ଇଜ୍ଜତ ଯିବାଟା ଥୟ ।