ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶ ଔରେୟା ଜିଲ୍ଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଟ୍ରକ ଏବଂ ଡିସିଏମ ଗାଡି ମଧ୍ୟରେ ଧକ୍କା ହେବା ଯୋଗୁଁ ୨୪ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସମସ୍ତ ଶ୍ରମିକ ଦୁଇଟି ଗାଡିରେ ଘରକୁ ଫେରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ କୋଲକାତା ଏବଂ ଝାରଖଣ୍ଡର ରହିଛନ୍ତି ।
ଏନେଇ କାନପୁର ପୁଲିସ ମହାନିରିକ୍ଷକ ମୋହିତ ଅଗ୍ରୱାଲ କହିଛନ୍ତି କି, ଶନିବାର ସକାଳୁ ଏକ ଡିସିଏମ ମେଟାଡୋର ଦିଲ୍ଲୀରୁ ଶ୍ରମିକଙ୍କୁ ନେଇ ଆସୁଥିଲା । ସେମାନଙ୍କ ମଧ୍ୟରୁ କିଛି ଶ୍ରମିକ ଔରେୟା ଏବଂ କାନପୁର ରାଜପଥରେ ଗାଡି ରଖି ରାସ୍ତା କଡରେ ଚା ପିଉ ଥିଲେ । ସେହି ସମୟରେ ରାଜସ୍ଥାନ ଜୟପୁରରୁ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଟ୍ରକ ଆସି ମେଟାଡୋରକୁ ଧକ୍କା ଦେଇଥିଲା । ଟ୍ରକର ସ୍ପିଡ ଏତେ ମାତ୍ରାରେ ଥିଲା ଯେ ଦୁଇଟି ଯାକ ଗାଡି ଯାଇ ରାସ୍ତା କଡ ଖାଲରେ ପଡିଥିଲା । ଏହି ଦୁର୍ଘଟଣାରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଆହତ ହୋଇଛନ୍ତି ।
ଅନ୍ୟପଟେ ଏହି ଦୁର୍ଘଟଣା ଏବଂ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ମୃତକଙ୍କ ପରିବାରକୁ ସହାୟତା ପାଇଁ ଆଶ୍ୱସନା ଦେଇଛନ୍ତି ।