କେନ୍ଦୁଝର (ଏଟିଆର ବ୍ୟୁରୋ); ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ଓଡିଆ ହାସ୍ୟଅଭିନେତା ସଲିଲ ମିତ୍ର । ୨୦ ନମ୍ବର ଜାତୀୟ ରାଜପଥରେ ତାଙ୍କର ଦୁର୍ଘଟଣା ହୋଇଥିବା ଶୁଣିବାକୁ ମିଳିଛି । ଏବେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କରଞ୍ଜିଆରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । କାରରେ ତାଙ୍କ ସହ ବସିଥିବା ଆଉ ତିନିଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ପ୍ରଥମେ ସଲିଲଙ୍କୁ ଘଟଗାଁ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।
ଆଜି ଅପରାହ୍ନ ୨ଟା ବେଳେ କରଞ୍ଜିଆରୁ ଭୁବନେଶ୍ୱର ଫେରୁଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥ ଘଟଗାଁ କଲେଜ ଛକ ନିକଟରେ ତାଙ୍କ କାର ଆଗକୁ ଏକ ଗାଇ ପଳେଇଆସିଥିଲା । ଗାଇକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜୋରରେ ବ୍ରେକ ମାରିଦେଇଥିଲେ । ଫଳରେ କାରଟି ରାସ୍ତା ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଗାଁ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।
୨୦ ନମ୍ବର ଜାତୀୟ ରାଜପଥ ଏବେ ମରଣା ଯନ୍ତା ପାଲଟି ଯାଇଛି । ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି । ବରପଦା ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଟ୍ରକ୍ରେ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ଗତକାଲି ସକାଳେ ଏହି ଜାତୀୟ ରାଜପଥରେ ବୋଲେରୋ ଧକ୍କାରେ ଜଣେ ପୁଲିସ୍ ଏଏସ୍ଆଇଙ୍କ ମୃତ୍ୟୁ ଘଟିଥିଲା।