ବାରିପଦା (ଏଟିଆର ବ୍ୟୁରୋ); ସ୍କୁଟି ଦୁର୍ଘଟଣାଗ୍ରସ୍ତ । ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ସାଙ୍ଗରେ ଥିବା ବାକି ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ-୧୮ରେ ଥିବା ବୈଶଙ୍ଗା ଛକ ନିକଟରେ । ଏହି ଦୁର୍ଘଟଣାରେ ମୃତୁ ହୋଇଥିବା ବ୍ୟକ୍ତି ହେଲେ କାଳିଆ ବାସ୍କେ । ଗୁରୁତର ଆହତ ଦ୍ୱୟ ହେଲେ ତପନ ଟୁଡୁ ଏବଂ ଲାଦର ସିଂ । ସମସ୍ତ ଘର ବୈଶିଙ୍ଗା ଥାନା ଅନ୍ତର୍ଗତ ବାଲିଚିତର ଗାଁରେ ବୋଲି ଜଣା ପଡିଛି । ଆହତମାନଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତିନିଜଣ ସ୍କୁଟିରେ ବାଲେଶ୍ୱର ପଟୁ ବୈଶିଙ୍ଗା ଦ୍ରୃତ ଗତିରେ ଯାଉଥିଲେ । ବାଟରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ସେମାନେ ଘଟଣାସ୍ଥଳରେ ପଡିରହିଥିଲେ । ଆଜି ଭୋର ସମୟରେ ସ୍ଥାନୀୟ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏବଂ ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଗୋଟିଏ ଗ୍ରାମର ତିନିଜଣ ଯୁବକଙ୍କ ଦୁଘଟଣା ହୋଇଥିବାରୁ ଗାଁରେ ଦୁଃଖମୟ ପରିବେଶ ସୃଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।