ଭଦ୍ରକ (ଏଟିଆର ବ୍ୟୁରୋ); ଭୟାବହ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ତେବେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ଭଦ୍ରକ ଜିଳ୍ଲା ଚାନ୍ଦବାଲି ଅନ୍ତର୍ଗତ ଧାନଖଣିଆ ଗାଁରେ । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ତେବେ ବିଦ୍ୟୁତ ସର୍ଟ ସର୍କିଟି ପାଇଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ସରକାରୀ ସହାୟତା ଆଶାରେ ନିରାଶ ପରିବାର ।
ବାତ୍ୟା ‘ଫୋନି’ ଦୁଃଖ ଦେଇ ଚାଲିଯାଇଥିବା ବେଳେ ଏବେ ନିଆଁ ଏହିସବୁ ପରିବାରର ଅଣ୍ଟା ଭାଙ୍ଗିଦେଇଛି । ବାତ୍ୟା ପାଇଁ ଗାଁରେ ଇଲେକ୍ଟ୍ରି ସେବା ବନ୍ଦ ରହିଥିଲା । ଗତକାଲି ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । ଆଜି ଦିନ ୧୨ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଗାଁଲୋକ ପ୍ରଥମେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ପରେ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲା ସତ କିନ୍ତୁ ୧୦ଟି ପରିବାରର ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା ।
ଦୁଃଖରେ ନିରାଶ ପରିବାର ସରକାରୀ ସହାୟତା ଆଶାରେ ରହିଛନ୍ତି । ତେବେ ସରକାରୀ ସହାୟତା କେବେ ମିଳିବ ତାକୁ ଚାତକ ଭଳି ଚାହିଁ ରହିଛନ୍ତି । ଅଗ୍ନିକାଣ୍ଡ ଘଟିବା ପରେ କେହି ସରକାରୀ ବାବୁ ଗାଁରେ ପହଁଞ୍ଚି ନଥିବା ଶୁଣିବାକୁ ମିଳିଛି । ବିଦ୍ୟୁତ ସର୍ଟ ସର୍କିଟି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରିଛନ୍ତି ଗାଁଲୋକ ।