ଅନୁଗୋଳ (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମରଣ । ବାଇକରେ ଶିକ୍ଷୟିତ୍ରୀଙ୍କ ପରିବାର ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ । କିଛି ଭାବିବା ପୂର୍ବରୁ ଗାଡିରୁ ଛିଟିକି ପଡିଥିବା ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି । ଭଗବାନଙ୍କ ଦୟାରୁ ତାଙ୍କ ସ୍ୱାମୀ ଏବଂ ତିନି ବର୍ଷର ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ନିକଟ ୫୫ ନମ୍ବର ଜାତୀୟ ରାଜପଥରେ । ମୃତ ଶିକ୍ଷୟିତ୍ରୀ ହେଲେ ଜ୍ୟୋତିର୍ମୟୀ ପ୍ରଧାନ (୩୫) । ପୋଲିସ ଖବର ପାଇବା ପରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତଦନ୍ତ ଜାରି କରିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ ଜ୍ୟୋତିର୍ମୟୀ ନିମ୍ବବାହାଳି ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ପାଠ ପଢ଼ାଉଥିଲେ । ଆଜି ବିଦ୍ୟାଳୟ ଛୁଟି ହେବା ପରେ ଘରକୁ ପୁଅ ଏବଂ ସ୍ୱାମୀଙ୍କ ସାଙ୍ଗରେ ବାଇକରେ ଫେରୁଥିଲେ । ସିପିପି ଛକ ନିକଟରେ ହଠାତ ପଛପଟୁ ଟ୍ରକ ଆସି ସେମାନଙ୍କ ଧକ୍କା ଦେଇଥିଲେ । ତିନିଜଣଯାକ ବାଇକରୁ ଛିଟିକି ପଡିଯାଇଥିଲେ । ତେବେ ଜ୍ୟୋତିମୟୀଙ୍କ ଉପରେ ଟ୍ରକଟି ଚଢ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଆହତ ହୋଇଥିବା ଜ୍ୟୋତିର୍ମୟୀଙ୍କ ପୁଅ ଏବଂ ସ୍ୱାମୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ । ପାଖାପାଖି ୪୫ ମିନିଟ ବନ୍ଦ ରହିଥିଲା ୫୫ ନମ୍ବର ଜାତୀୟ ରାଜପଥ । ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ବାଇକ ଏବଂ ଟ୍ରକକୁ ଜବତ କରିଛି । ଘଟଣାର ତଦନ୍ତ ଜାରି କରିଛି ପୋଲିସ । ଅପରପକ୍ଷରେ ମୃତ ଦେହ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ଆହତଦ୍ୱୟଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।