ନୟାଗଡ (ଏଟିଆର ବ୍ୟୁରୋ); ସ୍ଥାନୀୟ ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରୀ ପରେ ରଥ ଗାଁ ଠାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଗୋଟାଏ ବସ୍ ଓ ବାଇକ୍ ମଧଞରେ ସାମ୍ନାସାମ୍ନି ଧକ୍କା ହେବାରୁ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।ରାତି ପ୍ରାୟ ୧ଟା ବେଳେ ରାସ୍ତାର ୟୁ-ଟର୍ଣ୍ଣରେ ବୁଲି ଫୁଲବାଣୀ ଆଡ଼କୁ ଯାଉଥିବା ଗୋଟାଏ ବାଇକ୍ ଭୁବନେଶ୍ୱର ଆଡ଼କୁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍ ‘ଦୀକ୍ଷିତ’ ଉପରେ ଧକ୍କା ଖାଇଥିଲା।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଗଦା ହୋଇ ଯାଇଥିଲେ । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏବଂ ଅନ୍ୟ ଜଣଙ୍କୁ ଉଦ୍ଧାର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ୍ରେସିଂ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ପୋଲିସ ଖବର ପାଇ ଦୀକ୍ଷିତ ବସକୁ ଅଟକ ରଖିଛି । ତେବେ ମୃତକ ଦ୍ୱୟ ମଦ୍ୟପାନ କରି ଗାଡି ଚଳାଉଥିବା ଜଣା ପଡିଛି । ମୃତକ ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଟିବାରି ଗାଁର ବିଶ୍ୱଜିତ ପ୍ରଧାନ ଏବଂ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବାନେର ଗାଁ’ର କୃଷ୍ଣ ନାୟକ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ମୃତକଙ୍କ ପରିବାରକୁ ଖବର ଦେଇଛି । ପରିବାର ଲୋକ ଆସିବା ପରେ ବ୍ୟବଛେଦ ପାଇଁ ପଠାଯିବ । ସେପଟେ ବସ ଅଟକ ରହିବା ପରେ ଯାତ୍ରୀମାନେ ଅସୁବିଧାର ସମୁଖୀନ ହୋଇଥିଲେ । ପରେ ଅନ୍ୟ ଏକ ବସ ଯୋଗେ ଯାତ୍ରୀମାନେ ଭୁବନେଶ୍ୱର ଆସିଥିଲେ ।