ବଲାଙ୍ଗୀର (ଏଟିଆର ବ୍ୟୁରୋ); ଅଜଣା ଗାଡି ଧକ୍କା ଦେଇ ଚାଲିଗଲା ଅଟୋକୁ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଧକ୍କା ଦେଇଥିବା ଗାଡି ଫେରାର ହୋଇ ଯାଇଛି । ବଲାଙ୍ଗୀର ଜିଲ୍ଲା ସୋନପୁର ରାସ୍ତାର ପଇନ୍ତଳା ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଅଟୋ ଚାଳକ ହେଲେ ସୁରେଶ ଦୀପ । ଅଟୋ ଚାଳକ ସଂଘ ପକ୍ଷରୁ ରାସ୍ତା ରୋକ କରି ମୃତକଙ୍କ ପରିବାରକୁ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।
ଆଜି ଭୋର ସମୟରେ ଭଡା କରିବା ପାଇଁ ଆସୁଥିବା ବେଳେ ପଇନ୍ତଳା ଛକ ନିକଟରେ ସୁରେଶଙ୍କ ଅଟୋ ପଛପଟେ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଏତେ ଜୋରରେ ପିଟି ହୋଇଥିଲା କି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ଘଟଣା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତଜନା ଦେଖା ଦେଇଛି । ଅଟୋ ଚାଳକ ସଂଘ ପକ୍ଷରୁ ରାସ୍ତା ଧାରଣା ଦିଆ ଯାଇଛି । ବଲାଙ୍ଗୀର ସୋନପୁର ରାସ୍ତା ରୋକ କରିଛନ୍ତି ଅଟୋ ଚାଳକ ସଂଘ । ଫଳରେ ଉଭୟ ପାଶ୍ୱରେ ବହୁ ଗାଡି ଅଟକି ରହିଛି । ପୋଲିସ ଘଟଣାସ୍ଥଳକୁ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରିବା ସହିତ ସହାୟତା ପାଇଁ ପ୍ରତିଶୃତି ଦେଇଛି ।