କେନ୍ଦୁଝର (ଏଟିଆର ବ୍ୟୁରୋ); ମହୁଲ ଗୋଟାଇବା ପାଇଁ ଯାଇଥିଲେ ମହିଳା । ଦଳି ଦେଲା ହାତୀ । ଘଟଣାସ୍ଥଳରେ ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ମଲଣ୍ଡା ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ମହିଳା ହେଲେ ଆକୁଳ ଗାଁର ରବି ରଣସିଙ୍ଗାଙ୍କ ସ୍ତ୍ରୀ କଦଳୀ ରଣସିଙ୍ଗା । ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଁଞ୍ଚଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଗାଁ ଲୋକ କ୍ଷତି ପୂରଣ ଦାବି କରୁଛନ୍ତି ।
ମିଳିଥିବା ସୂଚନା ମୁତାବକ ଶନିବାର କଦଳୀ ମହୁଲ ଗୋଟାଇବା ପାଇଁ ତେଲକୋଇ ବନାଞ୍ଚଳକୁ ଯାଇଥିଲେ । ଏକ ବଣୁଆ ହାତୀ ହାବୁଡରେ ସେ ପଡିଯାଇଥିଲେ । ହାତୀ ତାଙ୍କୁ ଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା ।
ସ୍ଥାନୀୟସରପଞ୍ଚ କହିଛନ୍ତି କି ଏଠାରେ ସବୁବେଳେ ବଣୁଆ ହାତୀମାନେ ବୁଲାବୁଲି କରୁଛନ୍ତି । କିନ୍ତୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ କୌଣସି ସଚେତନ କରାଯାଉନାହିଁ । ଯାହା ଫଳରେ ଲୋକମାନେ ହାତୀଙ୍କ ଶିକାର ହେଉଛନ୍ତି । ପୂର୍ବରୁ ମଧ୍ୟ ହାତୀ ବହୁ ଧନ ଜୀବନ ନଷ୍ଟ କରିଛି । ତେବେ ଆଗାମୀ ଦିନରେ ଯଦି ବନ ବିଭାଗ କିଛି ପଦକ୍ଷେପ ନନିଏ ତେବେ ଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।