ମୟୁରଭଞ୍ଜ,(ଏଟିଆର ବ୍ୟୁରୋ): ପୁଣି ଶିକ୍ଷକ ସମାଜ ଲାଗି କଳଙ୍କ । ନାବାଳିକାଙ୍କୁ ଅସଦାଚରଣ କରି ବହେ ଛେଚା ଖାଇଲେ ଶିକ୍ଷକ । ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ । ପାଠ ପଢ଼ାଇବା ଆଳରେ ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଭଳି ସଂଗିନ ଅଭିଯୋଗ ଉଠିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ନୁହେଁ ବରଂ ୩ଜଣ ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକ ଏଭଳି କାରନାମା କରିଥିବା ଜଣାପଡିଛି । ତେବେ ଘଟଣା ସାମ୍ନାକୁ ଆସିବା ପରେ ତାତି ଉଠିଥିଲେ ଅଭିଭାବକ । ସକାଳୁ ସକାଳୁ ପ୍ରଧାନ ଶିକ୍ଷକଙ୍କୁ ଘେରି ବହେ ଛେଚିଥିଲେ । ଲୋକଙ୍କ ଅଭିଯୋଗ ଗୁରୁ ହୋଇ ଅଭିଭାବକ ଓ ସରଳ ନିଷ୍ପାପ ଛାତ୍ରୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ଏହି ପ୍ରଧାନ ଶିକ୍ଷକ ।
ରିପୋର୍ଟ ଅନୁସାରେ, ମୋରଡା ବ୍ଲକ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ଘଟିଛି ଏଭଳି ଘଟଣା । ତେବେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ୩ଜଣ ଛାତ୍ରୀଙ୍କୁ ହରଦମ କିଛି ନା କିଛି ବାହାନା କରି ପ୍ରଧାନ ଶିକ୍ଷକ ପାଖକୁ ଡାକୁଥିଲେ । ପାଠ ପଢ଼ା ଆଳରେ ତାଙ୍କୁ ଅସଦାଚରଣ କରୁଥିଲେ । ଦିନକୁ ଦିନ ହେଡମାଷ୍ଟରଙ୍କ ଏପରି ବ୍ୟବହାର ବଢ଼ିବାରେ ଲାଗିଥିଲା । ଅସହ୍ୟ ହେବାରୁ ଶେଷରେ ଛାତ୍ରୀମାନେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ଏନେଇ ସ୍କୁଲ ପରିଚାଳନା କମିଟିକୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ଲୋକଙ୍କ ରାଗ ଆହୁରି ବଢ଼ିଯାଇଥିଲା ।
ତେବେ ଆଜି ସକାଳୁ ପ୍ରଧାନ ଶିକ୍ଷକ ଅନଙ୍ଗଦେବ ଟିପିରିଆ ସ୍କୁଲରେ ପହଞ୍ଚିବା ପରେ ଏକଜୁଟ ହୋଇଥିଲେ ଅଭିଭାବକ । ବାସ ଏହାପରେ ପ୍ରଧାନ ଶିକ୍ଷକଙ୍କୁ ନିସ୍ତକୁ ପିଟିବା ସହ ସାତବେଣ୍ଟିଆ କରିଦେଇଥିଲେ । ପରେ ଖବର ପାଇ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ସେପଟେ ସ୍କୁଲ ଭଳି ସ୍ଥାନ ଓ ଗୁରୁଙ୍କ ଏଭଳି କୁତ୍ସିତ କାରବାର ଏବେ କେଉଁଠି ନାଁ କେଉଁଠି ଘଟୁଛି । ଯାହା ଆଦୌ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।