ନୂଆପଡା (ଏଟିଆର ବ୍ୟୁରୋ); ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଘରକୁ ଫେରିବାକୁ ହୋଇଥିଲା ବିଳମ୍ବ । ପରିବାର ଲୋକ ଯାଇ ଦେଖିବା ବେଳକୁ ପୋଖରୀରେ ଭାସୁଛି ପୁଅର ଶବ । ନୂଆପଡା ଜିଲ୍ଲା ଭିମାପଦର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତ ଯୁବକ ହେଲେ ମହେଶ୍ୱର ମାଝୀ(୨୨) । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସୂଚନା ଅନୁଯାୟୀ,ମହେଶ୍ୱର ସକାଳୁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଘରୁ ଯିବାର ଦୁଇ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସେ ଘରକୁ ଫେରିନଥିଲେ । ପରିବାର ଲୋକ ପୁଅକୁ ଖୋଜିବା ପାଇଁ ପୋଖରୀରେ ପହଁଞ୍ଚିଥିଲେ । ସେଠାରେ ଖୋଜାଖୋଜି କରିବା ପରେ ମୃତ ଦେହକୁ ଉଦ୍ଧାର କରିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଗାଁରେ ପହଁଞ୍ଚିଥିଲା ।
ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ପୋଲିସ । ଭେଣ୍ଡା ପୁଅର ଅକାଳରେ ମୃତ୍ୟୁ ହୋଇଥିବା ଦେଖିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଗାଁରେ ମଧ୍ୟ ଶୋକାକୂଳ ପରିବେଶ ଦେଖିବା ପାଇଁ ମିଳିଛି । ସକାଳୁ ପୋଖରୀରେ ଏତେ ଲୋକ ଗାଧୋଇବା ପାଇଁ ଯାଉଥିବା ବେଳେ ମହେଶ୍ୱର କିପରି ବୁଡିଗଲେ ଏବଂ କେହି ଦେଖି ପାରିଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣା ପଡିବ ।