ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ କେତେ ଦିନ? କେବେ ପଶିବ ଚେତା? କଣ ନିଘୋଡ ନିଦ୍ରାରେ ଶୋଇ ପଡିଛନ୍ତି କି? ଏଭଳି ଅନେକ ପ୍ରଶ୍ନ ଏବେ ରାଜଧାନୀ ବାସୀଙ୍କ ମନରେ ଉଙ୍କି ମାରିଛି । ପାନ ଦୋକାନଠାରୁ ଆରମ୍ଭ କରି ଅଫିସ ସବୁଠି ଏବେ ଗୋଟିଏ ଚର୍ଚ୍ଚା କେବେ ଚେତିବ ବିଡିଏ? ରାଜଧାନୀରେ ମୁକୁଳା ହୋଇ ପଡି ରହିଥିବା ଡ୍ରେନ ଏବଂ ମ୍ୟାନ ହୋଲ ଉପରେ ପଡିବ ସ୍ଳାବ । ବିଡିଏ ଏବଂ ପୂର୍ତ୍ତ ବିଭାଗର ଅସାବଧାନତା ପାଇଁ ମଧ୍ୟ ୫ଟି ଜୀବନ ଅକାଳରେ ଚାଲି ଗଲାଣି । ୫ ବର୍ଷରେ ୫ଟି ଜୀବନ ଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କୌଣସି କାମ ହୋଇନାହିଁ ।
ଫୁଟପଥ ଉପରେ ଛୋଟ ଛୁଆ,ବୃଦ୍ଧା ଏବଂ ସାଧାରଣ ଲୋକ ଯିବା ଆସିବା କରୁଛନ୍ତି । ସାମାନ୍ୟ ଟିକେ ଅନ୍ୟ ମନସ୍କ ହୋଇଗଲେ ଜୀବନ ମଧ୍ୟ ଯାଇପାରେ । ରାଜଧାନୀ ବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ଫଳ ମିଳିନାହିଁ । କେବଳ ଶୁଖିଲା ପ୍ରତିଶୃତି ମିଳୁଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ଦୁଇଦିନ ପୂର୍ବେ ଜଣେ ବୃଦ୍ଧା ଡ୍ରେନରେ ଖସିପଡିଥିଲେ । ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବହୁ ଜାଗାରେ ଅନେକ କଥା ଶୁଣିବାକୁ ମିଳୁଛି ।
୫ ବର୍ଷରେ ୫ଜଣଙ୍କ ଜୀବନ ଯାଇଛି । ତେବେ ଏହି ୫ବର୍ଷ ମଧ୍ୟରେ ରାଜଧାନୀର ବହୁବାର ନବକଳେବର କରାଯାଇଛି । ତଥାପି ରାଜଧାନୀର ଅନେକ ଡ୍ରେନ ଏବଂ ମ୍ୟାନ ହୋଲ ଏଥିରୁ ବଞ୍ଚିତ ରହିଛି । ଯେଉଁ କାରଣରୁ ଏତେ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେବଳ ମଣିଷ କାହିଁକି ଏହି ଡ୍ରେନରେ ପଡି ବହୁ ଗାଇ ଗୋରୁ ଏବଂ ବୁଲା କୁକୁରଙ୍କ ଜୀବନ ମଧ୍ୟ ଯାଇଥିବା ଜଣା ପଡିଛି ।
କେତେବେଳେ ବିଏମ୍ସିର ଖାମଖିଆଲି ତ ଆଉ କେତେବେଳେ ପୂର୍ତ୍ତ ବଭାଗର ଅପାରଗତା। ଆଉ କେତେବେଳେ ଜାତୀୟ ରାଜପଥ ଓ ଇଡ୍କୋ କର୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଗାତରେ ପଡ଼ି ଜୀବନ ଯାଉଛି। ଭୁବନେଶ୍ବର ସ୍ମାର୍ଟ ସିଟି ଘୋଷଣା ହେବା ପରେ ସମସ୍ୟା ଦୂର ହେବ ବୋଲି ସ୍ୱପ୍ନ ଦେଖୁଥିବା ସହରବାସୀ ଏବେ ଗୋଟିଏ ପରେ ଗୋଟିଏ ଘଟଣାରେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଆଉ କେତେ ଅଘଟଣ ଘଟିଲେ ପ୍ରଶାସନ ଚେତିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କଲଭର୍ଟ ଯୋଗୁଁ ଯିବା ଆସିବା ସମସ୍ୟା ଓ ବର୍ଷାଦିନ ସତ୍ତ୍ବେ ଡ୍ରେନ୍ ଉପରେ ସ୍ଲାବ ନ ପଡ଼ିବା ବିଏମ୍ସିର କାର୍ୟ୍ୟଦକ୍ଷତା ଆଡ଼କୁ ସିଧାସିଧା ଅଙ୍ଗୁଳି ନିର୍ଦେଶ କରୁଛି। ଏହି ଘଟଣା ପରେ ମଧ୍ୟ ଚେତି ନାହିଁ ବିଏମସି। ଆଜି ମଧ୍ୟ ସେଠାରେ ମୁକୁଳା ଡ୍ରେନ୍ ବିପଦକୁ ଆମନ୍ତ୍ରଣ କରୁଛି। ପ୍ରତ୍ୟେକ ଦିନ ବିପଦସଂକୁଳ ଅବସ୍ଥାରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଯିବା ଆସିବା କରୁଛନ୍ତି। ଶହଶହ ଲୋକଙ୍କ ଜୀବନ ସହ ଖେଳ ଚାଲିଛି।