ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶିକ୍ଷାର ମାନ ବୃଦ୍ଧି କରିବା ସହ ଯେପରି ସମସ୍ତେ କିପରି ପାଠ ପଢି ଆଗକୁ ବଢିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦର୍ଶ ବିଦ୍ୟାଳୟର ନିର୍ମାଣ କରାଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଥିବା ବେଳେ ରାଜ୍ୟରେ ଆଉ ୧୦୦ଟି ନୂତନ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରବିନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ୱେସାଇଟ oav.esu.in ଉନ୍ମୋଚନ କରିବା ସହ ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବା ନେଇ ଘୋଷଣା କରିଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଖୋଲାଯିବ ଆଦର୍ଶ ବିଦ୍ୟାଳୟ । ଏଥିସହ ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ଏବଂ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ଦିଗଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉପସ୍ଥିତ ରହିବା ସହ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ଆଦର୍ଶ ବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ ହୋଇ ସାରିଥିବା କଥା କହିଛନ୍ତି । ଏଥିସହ ଏହି ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କୁ ପାଠ ପଢା ଯିବା ସହ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବାକୁ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।