ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି ମେଟ୍ରିକ ପରୀକ୍ଷା । ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯିବା ଲାଗି ଛାତ୍ରଛାତ୍ରୀମାନେ ଆଡ୍ମିଟ୍ କାର୍ଡ ସହ ଧାଡ଼ିବାନ୍ଧି ବିଭିନ୍ନ ସ୍କୁଲ୍ ଫାଟକ ସାମ୍ନାରେ ଅପେକ୍ଷା କରିଛନ୍ତି।ରେଗୁଲ୍, ଏକ୍ସ୍ରେଗୁଲାର, ମଧ୍ୟମା ଓ ଓପନ୍ ସ୍କୁଲ୍ର ପରୀକ୍ଷା ଏହି ପରୀକ୍ଷା ସୂଚୀ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି।
ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ବୋର୍ଡକୁ ହରଡଘଣାରେ ପକାଉଥିବାରୁ ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଂଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚାଇବା ପାଇଁ ବୋର୍ଡ ପକ୍ଷରୁ ୭୦୧ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଜଣେ ଲେଖାଏଁ ପୋଲିସ ଅଛନ୍ତି । ପ୍ରଶ୍ନପତ୍ରକୁ ସକାଳ ୬ଟାରୁ ୮ ଟା ଭିତରେ ପରୀକ୍ଷା କେନ୍ଦ୍ରରେ ପହଂଚାଯାଇଥିଲା । ପ୍ରଶ୍ନପତ୍ରକୁ ତ୍ରିସ୍ତରର କଭର ବ୍ୟବସ୍ଥାରେ ଅଣାଯାଇଛି । ସକାଳ ୯ଟାରୁ ୯ଟା ୩୦ ଭିତରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ମାଟ୍ରିକ ପରୀକ୍ଷାର ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।
ଗଣିତ ବିଷୟ ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ଏବର୍ଷ ସବଜେକ୍ଟିଭ୍ ପାଇଁ ୪ଟି ଓ ଅବଜେକ୍ଟିଭ୍ ପାଇଁ ୪ଟି ଲେଖାଏ ସମାନ୍ତରାଳ ସେଟ୍ ପ୍ରଶ୍ନପତ୍ର କରାଯାଇଛି। ଏହାସହିତ ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକଟିଭ୍ ଓ ଅବଜେକ୍ଟିଭ୍ରେ ପାସ୍ ଲାଗି ଅତିକମ୍ରେ ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ।
ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାଟ୍ରିକ୍ ରେଗୁଲାରରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ, ପତ୍ରବିନିମୟ(ସିସି) ରେଗୁଲାର ୨୧୦୬ଜଣ, ପତ୍ରବିନିମୟ(ସିସି) ଏକ୍ସ ରେଗୁଲାରରେ ୨୧୧ଜଣ ନାମ ପଞ୍ଜୀକରଣ କରିଛନ୍ତି । ମଧ୍ୟମା ପାଇଁ ମୋଟ ୩ହଜାର ୯ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ପାଇଁ ୧୨ହଜାର ୧୨ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି । ମାଟ୍ରିକ୍ ପାଇଁ ମୋଟ ୨୮୩୦ଟି, ମଧ୍ୟମା ପାଇଁ ୪୪ଟି ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି ।