ବଲାଙ୍ଗୀର (ଏଟିଆର ବ୍ୟୁରୋ); କଡା ତାଗିତ ସତ୍ତେ୍ୱ ମେଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପୁଣିଥରେ ବୁଧବାର ହିନ୍ଦୀ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଶୁଣିବାକୁ ମିଳୁଛି । କିନ୍ତୁ ଏହା ଏକ ଗୁଜବ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଡିଇଓ କାର୍ତ୍ତିକେଶ୍ୱର ଲେଙ୍କା । ଜିଲ୍ଲାକୁ ବଦନାମ କରିବା ପାଇଁ କିଛି ଅସାମାଜିକ ବ୍ୟକ୍ତିଙ୍କ ଏହା ଏକ ଚକ୍ରାନ୍ତ । ପୁରୁଣା ପ୍ରଶ୍ନକୁ ମୋବାଇଲରେ ଭାଇରାଲ କରି ଅଜଥାରେ ବଦନାମ କରୁଥିବା ମଧ୍ୟ ସେ କହିଛନ୍ତି ।
ବୁଧବାର ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଶୁଣିବାକୁ ମିଳିଥିଲା କି ‘ସେଟ ଏ’ର ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଯାହାକୁ ନେଇ ପୁଣିଥରେ ଚିନ୍ତାରେ ପଡିଯାଇଥିଲେ ଶିକ୍ଷା ଅଧିକାରୀ । ଇଂରାଜୀ ପରୀକ୍ଷା ଦିନ ଯେଭଳି ପୁରୁଣା ପ୍ରଶ୍ନପତ୍ରକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା ଆଜି ମଧ୍ୟ ସେହିଭଳି ପୁରୁଣା ପ୍ରଶ୍ନକୁ ଭାଇରାଲ କରାଯାଇଛି । ଏହା ଏକ ଗୁଜବ । ତେବେ ଚଳିତ ବର୍ଷ ଆରମ୍ଭରୁ ହିଁ ଏଭଳି ନିୟମିତ ଭାବରେ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ଶୁଣିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲାରୁ ଇଂଲିସ ଏବଂ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ପ୍ରଚାର କରାଯାଇଛି ।
ପ୍ରଶ୍ନପତ୍ର ଭାଇରାଲକୁ ନେଇ କିଛି ଶିକ୍ଷା ଅଧିକାରୀ ଏବଂ କର୍ମଚାରୀଙ୍କ ଚାକିରୀ ପଳେଇଛି । ତେବେ ବାରମ୍ବାର ଏଭଳି ପ୍ରଶ୍ନପତ୍ର ଲିକକୁ ନେଇ ଚିନ୍ତାରେ ରହିଛନ୍ତି ପରୀକ୍ଷାର୍ଥୀ । ଗତବର୍ଷ ମଧ୍ୟ ଏଭଳି ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ ହୋଇଥିଲା । ଏଣୁ ଚଳିତ ବର୍ଷ ପରୀକ୍ଷାକୁ କଡାକଡି କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ପରୀକ୍ଷା ଆରମ୍ଭରୁ ହିଁ ଗଳିଆ ଦେଖା ଦେଇଥିଲା ।