ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ସମସ୍ତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ସମେତ ୟୁନିଫର୍ମ, ବହିପତ୍ର ସବୁ ଯୋଗାଇ ଦିଆଯାଉଛି । ହେଲେ ସରକାର ଯେତେ ଯୋଜନା କରିଲେ ମଧ୍ୟ ଏହା ଯେମିତି ଖତ ଗଦାକୁ ଯାଉଥିବା ଦେଖିବାକୁ ମିଳୁଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ପିଲାଙ୍କର ଭବିଷ୍ୟତ ଗଢିବାକୁ ସହକାର ଯେତେ ଯୋଜନା କରିଲେ ମଧ୍ୟ ଏହା କୌଣସି କାମରେ ଆସୁନି ।
କେଉଁଠି ଆବଶ୍ୟକୀୟ ଭିତ୍ତିଭୂମି ନାହିଁ ତ କେଉଁଠି ପିଲାମାନେ ଅଧାରୁ ପାଠ ପଢା ଛାଡି ଦେଉଛନ୍ତି ଏକଥା ଆମେ କହୁନୁ କହିଛନ୍ତି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଆଜି ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନରେ ମନ୍ତ୍ରୀ ସମୀର ଦାସ କରିଛନ୍ତି, ରାଜ୍ୟରେ ଥିବା ସ୍କୁଲ ମଧ୍ୟରୁ ୯୦ଟିରେ କଳାପଟା ବ୍ୟବସ୍ଥା ନାହିଁ । ଏହାଛଡା ମନ୍ତ୍ରୀ ଅନେକ ତଥ୍ୟ ରଖିଛନ୍ତି ଯାହା ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟ ଅନୁମାନ କରିହେଉଛି । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୫୩,୬୭୦ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବା ବେଳେ, ୩୭,୬୪୫ଟି ସ୍କୁଲରେ ଖେଳ ପଡିଆରେ ନାହିଁ , ୩୪,୩୯୪ଟି ବିଦ୍ୟାଳୟରେ ପାଣି ସହିତ ଶୌଚାଳୟର ସୁବିଧା ନାହିଁ । ଏହାବ୍ୟତିତ ୨,୪୫୧ଟି ସ୍କୁଲରେ ଲାଇବ୍ରେରି ନାହିଁ କି ୧୬,୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଖାଲି ସେତିକି ନୁହେଁ ସରକାର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ୟୁନିଫର୍ମ, ବହିପତ୍ର ଯୋଗାଇବା ସତ୍ୱେ ପିଲାମାନେ ଅଧାରୁ ପାଠପଢା ଛାଡି ଦେଉଛନ୍ତି । ରାଜ୍ୟରେ ରାୟଗଡାରେ ସର୍ବାଧିକ ପିଲାମାନେ ପାଠ ଛାଡୁଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରାଥମିକ ଶିକ୍ଷା ସ୍ତରରେ ରାୟଗଡାରେ ସର୍ବାଧିକ ୧୧.୬୭ପ୍ରତିଶତ ପିଲା ଆଧାରୁ ପାଠ ଛାଡୁଛନ୍ତି । ଅନ୍ୟପଟେ କେନ୍ଦ୍ରାପଡାରେ ଏହି ହାର ୮.୯୩ ପ୍ରତିଶତ ଥିବା ବେଳେ କଳାହାଣ୍ଡିରେ ୮.୪୬ପ୍ରତିଶତ ରହିଛି । ଉଚ୍ଚ ପ୍ରାଥମିକରେ ରାୟଗଡ଼ାରେ ସର୍ବାଧିକ ୧୭.୧୦ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁ ଥିବା ବେଳେ ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ ପିଲା ପାଠ ଛାଡ଼ୁଛନ୍ତି। ସେହିପରି ମାଧ୍ୟମିକ ସ୍ତରରେ ପୁରୀରେ ସର୍ବାଧିକ ୧୦.୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି।