ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ସ୍କୁଲ ଗୁଡିକ ବନ୍ଦ ରହିଥିବା ବେଳେ ଆସନ୍ତା ସେପ୍ଟେମ୍ପର ୨୧ରୁ ଦେଶ ବ୍ୟାପି ସ୍କୁଲ ଖୋଲିବାକୁ ଯାଉଛି । ତେବେ ମହାମାରୀର ଭୟାବହତା ଦୂର ହୋଇନଥିବାରୁ ଛାତ୍ରଛାତ୍ରୀଙ୍କର ସୁରକ୍ଷା ପାଇଁ ସରକାର ସଚେତନ ହେବା ସହ କିପରି ସୁରକ୍ଷିତ ଭାବେ ସ୍କୁଲ ଆସି ପିଲାମାନେ ପାଠ ପଢି ପାରିବେ ସେଥିପାଇଁ ନିଜର ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି ।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗାଇଡ ଲାଇନ ଅନୁଯାୟୀ ଶ୍ରେଣୀରେ ବସିବା ଶୈଳୀରେ ପରିବର୍ତ୍ତନ କରାଯିବ । ଛାତ୍ରଛାତ୍ରୀମାନେ ଦୂରତା ରକ୍ଷା କରି ବସିବେ । ଏଥି ପାଇଁ ଚୌକି-ଟେବୁଲ ୬ ଫୁଟ ଦୂରରେ ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଶିକ୍ଷକମାନଙ୍କୁ ଏସବୁ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ପଢ଼ିବା ଓ ଲେଖିବା ସମୟରେ ଛାତ୍ର ଓ ଶିକ୍ଷକମାନେ ମାସ୍କ ପିନ୍ଧିବେ । ଛାତ୍ରଛାତ୍ରୀମାନେ ଲ୍ୟାପଟପ, ନୋଟବୁକ, ଷ୍ଟେସନାରୀ ସାମଗ୍ରୀ ଅନ୍ୟକୁ ଦେଇପାରିବେ ନାହିଁ ।
Guidelines for the Conduct of teaching activities in the Classrooms. #IndiaFightsCorona pic.twitter.com/BsiJKk5ymi
— Ashwini Kr. Choubey (@AshwiniKChoubey) September 13, 2020
ଏବେ ନୂତନ ନିୟମ ଅନୁସାରେ ସମସ୍ତଙ୍କୁ ପରିସରକୁ ଡକାଯିବ ନାହିଁ । ବର୍ତ୍ତମାନ ପରୀପ୍ରେକ୍ଷିରେ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଯିବାର ବିକଳ୍ପ ଦିଆଯିବ । କିନ୍ତୁ ଏମାନଙ୍କ ପାଖରେ ଅନଲାଇନ ପଢ଼ିବାର ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । ଯେଉଁମାନେ ଅନଲାଇନ ସହିତ ଜଡ଼ିତ ହୋଇପାରୁ ନାହାନ୍ତି ଅଥବା ଅନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ସ୍କୁଲ ବ୍ୟବସ୍ଥା ହୋଇଛି ।