ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବହୁ ବାଦ ବିବାଦରେ ସରିଛି ଚଳିତ ବର୍ଷର ମେଟିକ ପରୀକ୍ଷା । ଆସନ୍ତା ୨୫ରୁ ଆରମ୍ଭ ହେବ ଖାତା ଦେଖା । ତେବେ ଏହା ଏପ୍ରିଲ ୫ରେ ସରିବ ବୋଲି ସୂଚନା ମିଳିଛି । ଆସନ୍ତା ୧୨ ତାରିଖରେ ବୋର୍ଡର ଏଗଜାମିନେସନ କମିଟି ବୈଠକ ବସିବ । ୩ଟି ପରୀକ୍ଷା କେନ୍ଦ୍ରର ପରୀକ୍ଷା ବାତିଲ୍ ଓ ମାଲକାନଗିରି ପଡିଆ ହାଇସ୍କୁଲରୁ ୧୦୮ ଓଏମଆର ଗାଏବ ସମ୍ପର୍କରେ ନିଷ୍ପତ୍ତି ନେବ ଏଗଜାମିନେସନ କମିଟି । ଚଳିତ ବର୍ଷ ୨ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିସହ ୪୪ ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ମଧ୍ୟମା ଓ ୭୯ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେଇଛନ୍ତି ।
ଚଳିତ ବର୍ଷ ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚାରେ ରହିଥିଲା ପରୀକ୍ଷା । ବାରମ୍ବାର ତାଗିଦ କରିବା ସତ୍ତେ୍ୱ ଶେଷ ପଯ୍ୟନ୍ତ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ପ୍ରଶ୍ନ । ତେବେ ଖାତା ଦେଖା ସମୟରେ ଯେଭଳି କିଛି ତ୍ରୃଟି ନହୁଏ ଏନେଇ କଡା ସୁରକ୍ଷା କରାଯାଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଭାଇରାଲ ଓ କପି ଘଟଣାରେ ୧୯ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ