ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବାକୁ ଯାୁଛି ମ୍ୟାଟ୍ରିକ ପରୀକ୍ଷା । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଗତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ସମୟରେ ବହୁତ ବିଶୃଙ୍ଖଳା ହୋଇଥିଲା । ଯାହାଦ୍ୱାରା ପରୀକ୍ଷାର୍ଥୀମାନେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ଗତବର୍ଷ ବାରମ୍ବାର ତାଗିଦ ସତ୍ତେ୍ୱ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏବଂ ଏହି ପ୍ରଶ୍ନପତ୍ର ଲିକରେ ପରୀକ୍ଷା ସେଣ୍ଟରର ଶିକ୍ଷକମାନେ ପ୍ରଶ୍ନ ଲିକରେ ସାମିଲ ହୋଇଥିଲେ । ଏଣୁ ଚଳିତ ବର୍ଷ ପରୀକ୍ଷା ହଲ ଭିତରକୁ ମୋବାଇଲ ନେବା ପାଇଁ ବାରଣ କରାଯାଇଛି । କେବଳ ସୁପରିଟେଣ୍ଡେଟମାନେ ପରୀକ୍ଷା ହଲକୁ ମୋବାଇଲ ନେଇ ଯାଇପାରିବେ ।
ସମସ୍ତ ଡିଇଓଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଏଥିସହ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟଙ୍କ କାର୍ୟ୍ୟାଳୟ, ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟ ଓ ଏହା ଅଧୀନରେ ଥିବା ବିଭିନ୍ନ ଜୋନାଲ୍ କାର୍ୟ୍ୟାଳୟରେ ବି କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି । ଡିଇଓମାନେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରି ପରୀକ୍ଷା ସୁପରିଚାଳନାର ତଦାରଖ କରିବେ । ଗସ୍ତ ସମୟରେ ଯଦି କୌଣସି ଅନିୟମିତତା ଦୃଷ୍ଟିକୁ ଆସେ, ତେବେ ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
କପି ରୋକିବା ପାଇଁ ଚଳିତ ବର୍ଷ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରିଷଦ ପକ୍ଷରୁ ସ୍ପେସାଲ ସ୍କ୍ୱାର୍ଡ ଗଠନ କରାଯିବ । ବିଭାଗୀୟ ମନ୍ତ୍ରୀ,ସଚିବ ଏବଂ ଶିକ୍ଷା ଅଧିକାରମାନେ ବିଭିନ୍ନ ସମୟରେ ପରୀକ୍ଷା ହଲରେ ଅଚାନକ ପଶି ପାରନ୍ତି ଏବଂ ଚେକିଂ ମଧ୍ୟ କରିବେ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଫେବୃଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏବଂ ମାର୍ଚ୍ଚ ୨୫ରୁ ଏପ୍ରିଲ ୫ ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ ଶେଷ ହେବ । ତେଣୁ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଆବଶ୍ୟକୀୟ ଡାଟା ଏଣ୍ଟ୍ରି ଅପରେଟର୍ ଓ ମୂଲ୍ୟାୟନକାରୀଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି।