ବଲାଙ୍ଗୀର (ଏଟିଆର ବ୍ୟୁରୋ); ପୁଣି ଭାଇରାଲ ହେଲା ମେଟ୍ରିକ ପ୍ରଶ୍ନପତ୍ର । ଆଜି ଗଣିତ ପରୀକ୍ଷା ଥିବା ବେଳେ ‘ସେଟ-ଡି’ର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏଥରକ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ତେବେ ଏହି ପ୍ରଶ୍ନପତ୍ର ସହିତ ଏକ ଆଡମିଟ କାର୍ଡ ମଧ୍ୟ ଭାଇରାଲ ହୋଇଛି । ଏହି ଦୁଇଟି ଜିଲ୍ଲାରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଏଭଳି ପ୍ରଶ୍ନପତ୍ର । ଯାହାକୁ ନେଇ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛି ମେଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଶପତ୍ର ଲିକକୁ ମାନଛନ୍ତି । ଏହା ସହିତ ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଥିଲେ,“ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। କେଉଁଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି, ତାହା ବି ଜଣାପଡ଼ିଯାଇଛି। ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।”
ତେବେ ବାରମ୍ବାର ଏଭଳି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚିନ୍ତାରେ ଅଛନ୍ତି ମେଧାବୀ ଛାତ୍ର ଛାତ୍ରୀ । ଚଳିତ ବର୍ଷ ପରୀକ୍ଷାକୁ କଡାକଡି କରାଯିବ ବୋଲି ପ୍ରଥମରୁ ସୂଚନା ଦିଆଯାଇଥିଲା । କିନ୍ତୁ ଆରମ୍ଭ ଦିନରୁ ହିଁ ଗଳିଆ ପଡିଯାଇଥିଲା । ଏବଂ ସାହିତ୍ୟ ପରୀକ୍ଷାରୁ ଭାଇରାଲ ହେବାରେ ଲାଗିଥିଲା ପ୍ରଶ୍ନପତ୍ର । ତେବେ ଇଂଲିସ ଏବଂ ହିନ୍ଦି ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବା ପ୍ରଚାର ହୋଇଥିଲା । କିନ୍ତୁ ଏହା ଗୁଜବ ବୋଲି କୁହାଯାଇଥିଲା । କିନ୍ତୁ ଆଜି ଗଣିତ ପ୍ରଶ୍ନପତ୍ର ଲିକକୁ ସ୍ୱୀକାର କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ପ୍ରଶ୍ନପତ୍ର ଭାଇରାଲରେ ୧୧ ଜଣଙ୍କୁ ଚାକିରୀରୁ ସସପେଣ୍ଟ କରିଥିଲେ ସୁଦ୍ଧା ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଛି ।