କଟକ(ଏଟିଆର ବ୍ୟୁରୋ): ଆଜି ମାଧ୍ୟମିକ ବୋର୍ଡ ପରିଷଦର କର୍ମକର୍ତ୍ତାଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମାଟ୍ରିକ ଖାତା ଦେଖାକୁ ନେଇ ଆଲୋଚନା କରିଥିଲେ । ଏହା ପରେ ମନ୍ତ୍ରୀ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ବାହାରିବ ବୋଲି ସୂଚନା ଦେଇଛନ୍ତି । ଏହା ସହ ଖୁବ ଶୀଘ୍ର ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି କହିଛନ୍ତି । ତେବେ ଚଳିଳ ବର୍ଷ ସାଢେ ୫ ଲକ୍ଷ ଛାତ୍ରାଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଏହା ପରେ ଫେବୃଆରୀ ମାସରେ ମାତ୍ର ଗୋଟାଏ ଦିନ ପାଇଁ ଖାତା ଦେଖା ହୋଇଥିଲା । କରୋନା ସଂକ୍ରମଣକୁ ନଜରରେ ରଖି ଖାତା ଦେଖାକୁ ବନ୍ଦ କରିଦିଆଯାଇଥିଲା । ଏହାପରେ ଗତ ୨୦ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ ବାତ୍ୟା ଅମ୍ପାନ ପାଇଁ ଏହାକୁ ୨୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ପରେ ମାଟ୍ରିକ ଖାତା ଦେଖା ପ୍ରାକ୍ରିୟାକୁ ସ୍ଥଗିତ ରଖା ଯାଇଥିଲା ।
ଆଜି ହୋଇଥିବା ଆଲୋଚନା ପରେ ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ, ସବୁକିଛି ପ୍ରସ୍ତୁତ ହୋଇ ସାରିଛି କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଅପେକ୍ଷା ରହିଛି । ଚଳିତ ମାସ ଶେଷ ସୁଦ୍ଧା ଖାତାଦେଖା କାମ ଆରମ୍ଭ ହୋଇ ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ । ତେବେ ହାଇସ୍କୁଲ ପାଠ୍ୟକ୍ରମ ଲାଗି କେବେଠାରୁ ଆରମ୍ଭ ହେବ ଶିକ୍ଷା ବର୍ଷ, ସେଥିଲାଗି ଏବେ ସୁଦ୍ଧା କିଛି ବି ପ୍ରସ୍ତୁତ ହୋଇନଥିବା ଭଳି ଲାଗୁଛି । କାରଣ ୟୁଜିସି କହୁଛି ସାରାଦେଶରେ ସେପ୍ଟେମ୍ବର ୧ ରୁ ଶିକ୍ଷା ବର୍ଷ ଆରମ୍ଭ ହେବ । ତେଣେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଜୁନ୍ ୧୫ ସୁଦ୍ଧା ଶିକ୍ଷାବର୍ଷ ଆରମ୍ଭ ହେବା କଥା । କିନ୍ତୁ ବୋର୍ଡର ଟେକ୍ନିକାଲ ଟିମ୍ ଏଯାଏଁ କିଛି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିନାହିଁ । ତେଣୁ ଶିକ୍ଷାବର୍ଷ କେବେଠାରୁ ଏବଂ କେଉଁ ଢଙ୍ଗରେ ଆରମ୍ଭ ହେବ, ତାହା ଏବେବି ଅନିଶ୍ଚିତତା ଭିତରେ ରହିଛି ।