ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା କାଲିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ରାଜ୍ୟରେ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ। ସେହିପରି ୩ ହଜାର ୯ଜଣ ମଧ୍ୟମା, ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେବେ। ଏଥିପାଇଁ ୩୦୪ଟି ନୋଡାଲ୍ ସେଣ୍ଟର କରାଯାଇଛି। ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ଗଠନ କରାଯାଇଛି ୬୯୩ଟି ଡେସପାଚ୍ ଟିମ୍। ପରୀକ୍ଷା ୧୦ଟା ସମୟରେ ଆରମ୍ଭ ହେବ । ତେବେ ସାଢ଼େ୮ଟାରେ ପ୍ରଶ୍ନପତ୍ର ଆସି ପରୀକ୍ଷା ହଲରେ ପହଁଞ୍ଚିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପରୀକ୍ଷାରେ ପାସ୍ ହେବାକୁ ପ୍ରତି ବିଷୟରେ ଉଭୟ Objective ଓ subjective paperରେ ଅତି କମରେ ୧୫ ମାର୍କ ରଖିବାକୁ ପଡିବ । ଫେବ୍ରୁଆରୀରୁ ୨୨ ତାରିଖରୁ ମାର୍ଚ୍ଚ ୮ ଯାଏଁ ପରୀକ୍ଷା ହେବ । ତେବେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକାରରେ କୌଣସି ପ୍ରଭାବ ମାଟ୍ରିକ ପରୀକ୍ଷା ଉପରେ ପଡ଼ିବ ନାହିଁ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି କହିଛନ୍ତି । ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ପହଞ୍ଚିସାରିଛି । ଆଜି ସେଣ୍ଟରକୁ ପ୍ରଶ୍ନପତ୍ର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଠାଯିବନି । ଆସନ୍ତାକାଲି ସକାଳେ ପରୀକ୍ଷାକେନ୍ଦ୍ରକୁ ପଠାଯିବ ।
ଗତବର୍ଷ ପରୀକ୍ଷା ହଲରେ ପଡିଥିବା ଶିକ୍ଷକମାନେ ପ୍ରଶ୍ନପତ୍ର ଲିକ କରାଉଥିଲେ । ସେମାନେ ମୋବାଇଲ ମାଧ୍ୟରେ ଫଟୋ ଉଠାଇ ଭାଇରାଲ କରାଇଥିଲେ । ଏଣୁ ଚଳିତ ବର୍ଷ ପରୀକ୍ଷା ହଲ ମଧ୍ୟକୁ ସୁରରିଟେଣ୍ଡେଟଙ୍କୁ ଛାଡିଦେଲେ ଅନ୍ୟ କେହିବି ହଲକୁ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ସ୍ପେସାଲ ସ୍କ୍ୱାଡ ମଧ୍ୟ ଗଠନ କରା ଯାଇଛି । ଏମାନେ କୌଣସି ବି ମୂହୁର୍ତ୍ତରେ ପରୀକ୍ଷା ସେଣ୍ଟରରେ ପହଁଞ୍ଚି ପାରନ୍ତି । ଏଭଳି ଭାବରେ କଡା ବ୍ୟବସ୍ଥାରେ ଚଳିତ ବର୍ଷ ପରୀକ୍ଷା ହେବ ବୋଲି ସୂଚନା ମିଳିଛି ।
ସେପଟେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ପରୀକ୍ଷାର ପ୍ରଥମ ଦିନ ଇ-ପବ୍ଲିସିଂ ଆଣ୍ଡ ଇ-ଅଫିସ୍ ବିଷୟର ପରୀକ୍ଷା ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ବିଧିବଦ୍ଧ ଭାବେ ସାରା ଦେଶରେ ଦଶମ ଶ୍ରେଣୀ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେଉଥିଲେ ମଧ୍ୟ ମାର୍ଚ୍ଚ ୨ରୁ ପ୍ରମୁଖ ବିଷୟଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। ୨ ତାରିଖରେ ଆଇଟି ବିଷୟର ପରୀକ୍ଷା ରହିଛି। ଏହି ପରୀକ୍ଷା ମାର୍ଚ୍ଚ ୨୯ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ।