ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଯୁକ୍ତ ୨ କଳା,ବାଣିଜ୍ୟ ଏବଂ ଧନ୍ଦା ମୂଳକ ଶିକ୍ଷା ପରୀକ୍ଷାର ଖାତା ମୂଲ୍ୟାୟନ ସରିଛି । ବହୁ ଅସୁବିଧା ସତ୍ତେ୍ୱ ସୁରୁଖୁରୁରେ ସରିଛି ଖାତା ଦେଖା । ଏବେ ସମସ୍ତଙ୍କ ନଜର ରେଜଲ୍ଟ ଉପରେ । ଚଳିତ ମାସ ଚଳିତ ମାସ ତୃତୀୟ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ବିଜ୍ଞାନ ବିଭାଗର ରେଜଲ୍ଟ ଆସିଥିବା ବେଳେ ବାକି ବିଭାଗ ଗୁଡିକରେ ବିଳମ୍ବରେ ଫଳାଫଳ ଆସିବାକୁ ଥିବା ଛାତ୍ର ଛାତ୍ରୀମାନେ ଅପେକ୍ଷାରେ ଅଛନ୍ତି ।
ସାଧାରଣ ନିର୍ବାଚନ, ଅଧ୍ୟାପକମାନଙ୍କ ଅସହଯୋଗ, ବାତ୍ୟା ‘ଫନି’ ପ୍ରଭାବ ପରେ ବି ତିନୋଟି ଯାକ ବିଭାଗର ମାନୁଆଲ ଖାତା ଦେଖା ସୁରୁଖୁରରେ ସରିଛି। କୌଣସି ସ୍ଥାନରେ କିଛି ବି ଅସୁବିଧା ହୋଇ ନାହିଁ। ଗତବର୍ଷ ଜୁନ୍ ୯ରେ ଉକ୍ତ ତିନୋଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥର କିନ୍ତୁ ଗୋଟିଏ ସପ୍ତାହ ବିଳମ୍ବ ହେବ। ଜୁନ୍ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ବିଜ୍ଞାନ ବିଭାଗ ଫଳ ପ୍ରକାଶ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।
ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସେମାନଙ୍କ ମାର୍କସିଟ୍ ଓ ସାର୍ଟିଫିକେଟ୍ ପ୍ରଦାନ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାଥମିକତା ଦେଉଛି । ଆଗକୁ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ହେବାକୁ ଥିବାରୁ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ୍ ଆବଶ୍ୟକତା ଅଧିକ ରହିଛି । ତେଣୁ ଜୁନ୍ ୧୭ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ସାର୍ଟିଫିକେଟ୍ ପହଞ୍ଚାଯିବ। ଏହି ସମୟ ମଧ୍ୟରେ ଉକ୍ତ ୩ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇପାରିବ ନାହିଁ ।