ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପୁରୁଷ ହକି ବିଶ୍ୱକପ୍ ର ଉଦଘାଟନୀ ଉତ୍ସବ । ଏହି ଉତ୍ସବରେ ଓଲିଉଡ୍ ଏବଂ ବଲିଉଡ୍ ର କଳାକାରମାନେ ଯୋଗ ଦେଇ ସେମାନଙ୍କର ଜଲୱା ଦେଖାଇବେ । ସେଥିଲାଗି ଭୁବନେଶ୍ୱରରେ କଳାମାରମାନେ ପହଁଛି ଗତ କାଲିଠାରୁ କଳିଙ୍ଗ ଷ୍ଟାଡିୟମରେ ଫୁଲ୍ ଦମ୍ରେ ରିହର୍ସାଲ ଆରମ୍ଭ କରିଦେଇଛନ୍ତି । କିନ୍ତୁ ବଲିଉଡ୍ ର ବାଦଶାହ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ପହଁଚି ନାହାନ୍ତି । ଆଜି ଅପରାହ୍ନ ୨ ଟା ବେଳେ ସେ ଭୁବନେଶ୍ୱର ଏୟାରପୋର୍ଟରେ ପହଁଚି ସିଧାସଳଖ ରିହର୍ସାଲ ପାଇଁ କଳିଙ୍ଗ ଷ୍ଟାଡିୟମ ଯିବେ ବୋଲି ଜାଣିବାକୁ ମିଳିଛି ।
ଖବରମୁତାବକ, ସାହରୁଖ୍ ଭୁବନେଶ୍ୱରରେ ପହଁଚିବା ପରେ ସ୍ୱତନ୍ତ୍ର ଭ୍ୟାନିଟି ଭ୍ୟାନ୍ ଯୋଗେ ସିଧା କଳିଙ୍ଗ ଷ୍ଟାଡିୟମ ଯାଇ ରିହର୍ସାଲ ଆରମ୍ଭ କରିବେ । ରିହର୍ସାଲ ପରେ କିଛି ସମୟ ପାଇଁ ସାହରୁଖ୍ ଭ୍ୟାନିଟ୍ ଭ୍ୟାନରେ ବିଶ୍ରାମ ନେଇ ପୁଣି ପ୍ରସ୍ତୁତ ହୋଇ ଉଦଘାଟନୀ ରେ ନୃତ୍ୟ ପ୍ରଦର୍ଶନ କରିବେ । କାର୍ଯ୍ୟକ୍ରମ ସରିଲା ପରେ ସେ କୌଣସି ହୋଟଲରେ ରହିବେ ନାହିଁ ବରଂ ଭ୍ୟାନିଟ୍ ଭ୍ୟାନ୍ ଯୋଗେ ସିଧା ଏୟାରପୋର୍ଟ ଯାଇ ଚାଟାର୍ଡ ଫ୍ଲାଇଟରେ ଫେରିଯିବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ କିଙ୍ଗ ଖାନଙ୍କ ସର୍ପରାଇଜ୍ ଏଣ୍ଟ୍ରିକୁ ଖୁବ୍ ଉତ୍ସାହର ସହ ଅନେଇ ବସିଛନ୍ତି ଦର୍ଶକ । ତାଙ୍କ ଝଲକ ଦେଖିବା ପାଇଁ ବିମାନବନ୍ଦର ଏବଂ ଷ୍ଟାଡିୟମ ନିକଟରେ ଦର୍ଶକଙ୍କ ଭିଡ ଜମିବ ବୋଲି ସମ୍ଭାବନା ରହିଛି ।