ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶୁକ୍ରବାରଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଯାଇଛି ମେଟ୍ରିକ ପରୀକ୍ଷା । ଚଳିତ ବର୍ଷ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ପରିଚାଳନା କରାଯିବ ବୋଲି ସୂଚନା ମିଳିଥିଲେ ମଧ୍ୟ ଆରମ୍ଭରୁ ବେଙ୍ଗା ହୋଇ ଗଲାଣି । ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଲିକ ହେବାରେ ଲାଗିଲାଣି । ଜୟପୁର ବନ୍ଧୁଗାଁ ସରକାରୀ ବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ ହୋଇଛି ବୋଲି ଅଭିଯୋଗ ହେଉଛି । ମୋବାଇଲରୁ ମୋବାଇଲ ଏହି ପ୍ରଶ୍ନପତ୍ର ଭାଇରାଲ ହେବାରେ ଲାଗିଛି । ତେବେ କେବଳ ଜୟପୁର ନୁହେଁ କନ୍ଧମାଳ,ନୂଆପଡା ଢ଼େଙ୍କାନାଳ ଏବଂ ନୂଆପଡାରେ ମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ପରୀକ୍ଷା ହଲ ଭିତରକୁ କେହି ମୋବାଇଲ ନେବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଏହି ପ୍ରଶ୍ନପତ୍ର କିଭଳି ଭାବରେ ଲିକ ହୋଇଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ କେହି ଉପରିସ୍ଥ ଅଧିକାର ଏହି ପ୍ରଶ୍ନପତ୍ର ଲିକ କରି ନାହାଁନ୍ତି ତ? ଏଭଳି ଅନେକ ପ୍ରକାର ଚର୍ଚ୍ଚା ହେଉଛି ସାଧାରଣରେ । ସେପଟେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ ଘଟଣାକୁ ଖଣ୍ଡନ କରିଛି । ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଗୁଜବ ବୋଲି କହିଛନ୍ତି । ପ୍ରଶ୍ନପତ୍ର ଲିକ୍ ହୋଇଥିଲେ ତଦନ୍ତ କରାଯିବ । କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ରକୁ ରଖାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି ହୋଇଛି । ଗଣଶିକ୍ଷା ବିଭାଗ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଆଗକୁ ଅନ୍ୟ ପରୀକ୍ଷା ଉପରେ ଉଠିଛି ପ୍ରଶ୍ନ ।
ଗତବର୍ଷ ଏଭଳି ଭାବରେ ବାରମ୍ବାର ପ୍ରଶ୍ନପତ୍ର ଲିକ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଏବଂ ପରୀକ୍ଷାର୍ଥୀମାନେ ପୁଣି ଥରେ ପରୀକ୍ଷା ଦେବେ ବୋଲି କଥା ଉଠିଥିଲା । ଏଣୁ ଚଳିତ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଆରମ୍ଭ କରାଯାଇଥିଲା । ମାତ୍ର ଚଳିତ ବର୍ଷ ପ୍ରଶ୍ନପତ୍ର ଆରମ୍ଭରୁ ଲିକ ହୋଇଥିବାରୁ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠିଛି ।