ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଏସିଆର ସବୁଠୁ ଶକ୍ତିଶାଳୀ ଦେଶ ବନିବାକୁ ଯାଉଛି ଭାରତ । ହାସଲ କରିବାକୁ ଯାଉଛି ଶକ୍ତିଶାଳୀ ଏସ- ୪୦୦ ମିଶାଇଲ । ଭାରତର ବନ୍ଧୁ ଋଷ ଠାରୁ ଭାରତ କିଣିବ ଏହି ଶକ୍ତିଶାଳୀ ଏସ- ୪୦୦ ମିଶାଇଲ । ଦୁୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ । ଏହି ଅବସରରେ ଭାରତ ଓ ଋଷ ମଧ୍ୟରେ ହେବାକୁ ଯାଉଛି ଏସ ୪୦୦ ମିଶାଇଲ ଚୁକ୍ତି । ଯାହା ଉପରେ ରହିଛି ସାରା ବିଶ୍ୱର ନଜର ।
ଆମେରିକାର କଡା ନିର୍ଦ୍ଦେଶ ସତ୍ୱେ ଭାରତ ଏହି ମିଶାଇଲକୁ କିଣିବାକୁ ଯାଉଥିବା ବେଳେ ଏସ ୪୦୦ ମିଶାଇଲ କିଣିପାରିଲେ ଭାରତର ନିଜର ଶକ୍ତିବୃଦ୍ଧି କରିବାରେ ସକ୍ଷମ ହୋଇପାରିବ ବୋଲି ଜଣାପଡିଛି । ଏହି ମିଶାଇଲ ଭାରତ ହାସଲ କଲେ ଭାରତ ବିଶ୍ୱର ଗୋଟିଏ ବଡ ଶକ୍ତି ସମ୍ପନ୍ନ ଦେଶ ଭାବେ ପରିଗଣିତ ହେବା ସହ ଋଷ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ୱକୁ ସାରା ବିଶ୍ୱ ଦେଖିବ ।
ସୁଚନା ଯୋଗ୍ୟ , ଭାରତ ଏହି ମିଶାଇଲକୁ କିଣିବାପାଇଁ ୫ ବିଲିୟନ ଡଲାର ବିନିଯୋଗ କରିବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏକ ବୈଠକ କରି ଏ ବିଷୟରେ ଚୁଡାନ୍ତ ନିର୍ଣ୍ଣୟ ନେବେ ବୋଲି ଜଣାପଡିଛି । ତେବେ ପୂର୍ବରୁ ଚୀନ ମଧ୍ୟ ଋଷ ଠାରୁ ଏହି ଏସ – ୪୦୦ ମିଶାଇଲ କ୍ରୟ କରି ସାରିଛି ।
ଏହି ମିଶାଇଲ ଋଷର ଏସ – ୩୦୦ ମିଶାଇଲର ନୂତନ ସଂସ୍କରଣ । ଏହା ବହୁ କ୍ଷମତା ସମ୍ପନ୍ନ ହୋଇଥିବାରୁ ଏହା ହାସଲ ଦ୍ୱାରା ଏସିଆ ମହାଦେଶର ସବୁଠୁ ଶକ୍ତିଶାଳୀ ଦେଶ ହେବାର କ୍ଷମତା ହାସଲ କରିବ ଭାରତ । ବିଶେଷକରି ଭାରତର ପ୍ରତିଦ୍ୱନ୍ଦୀ ପାକିସ୍ତାନ ଓ ଚୀନ ପାଇଁ ଏହା ଆହ୍ୱାନ ସୃଷ୍ଟି କରିବ ।