ମୁମ୍ବାଇ(ଏଟିଆର ବ୍ୟୁରୋ) : ମୁମ୍ବାଇର ଝୁମ୍ପୁଡି ବସ୍ତିରେ ରହେ ଜଣେ ମୁସଲିମ ଯୁବକ । ବୟସ କମ, ଆଗକୁ ଯିବାର ଇଚ୍ଛା ଅଧିକ । ସେ ର୍ୟାପ୍ କରେ । ଆମେରିକାରୁ ଇଣ୍ଡିଆକୁ ଆସିଛି ର୍ୟାପ୍ । ର୍ୟାପ୍ର ଅର୍ଥ ଆମ ତୁମ ଭାଷାରେ କିଛି ଅଲଗା । ବହୁତ କମ୍ ଲୋକ ଯାହାର ଭାବନାକୁ ବୁଝନ୍ତି । ଏମିତି ଏକ ସଂଗୀତ ଯେଉଁଥିରେ କଥା କହିବା ଭଳି ଗୀତ ବୋଲାଯାଏ । ହଁ, ସେଇ ଯୁବକ ଏଇ ର୍ୟାପ୍ କୁ ନେଇ ଆଗକୁ ଯିବାକୁ ଚାହେଁ । ଯାହାକୁ ରୁଢ଼ିବାଦୀ ଓ ଆର୍ଥିକ ଅନଗ୍ରସର ପରିବାର ସାଥ୍ ଦେଇପାରେ ନାହିଁ । ତଥାପି ସେ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହେଁ । ହେଲେ ତା ସହ ଏମିତି କିଛି ଘଟିଯାଏ , ଯାହା ସେ କେବେ ବି ଭାବି ନଥିଲା…..
ଏ କାହାଣୀ ହେଉଛି ୨୦୧୯ର ବହୁ ପ୍ରତିକ୍ଷୀତ ହିନ୍ଦୀ ସିନେମା ‘ଗଲିବୟ’ର । ଯାହାର ପୃଷ୍ଠଭୂମି ପ୍ରସ୍ତୁତ ହୋଇଛି ଦୁଇଜଣ ର୍ୟାପରଙ୍କ ଜୀବନ କାହାଣୀକୁ ନେଇ । ଡିବାଇନ ଓ ନେଜି ନାମକ ମୁମ୍ବାଇର ଦୁଇ ପ୍ରତିଷ୍ଠିତ ର୍ୟାପରଙ୍କ କାହାଣୀକୁ ନେଇ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଛି ଯାହା ଚଳିତ ବର୍ଷର ଅନ୍ୟତମ ସର୍ବୋକ୍ରୃଷ୍ଟ ସିନେମା ହେବ ବୋଲି ପ୍ରଡକ୍ସନ ହାଉସ ଦାବୀ କରିଛି ।
ଦିଲ୍ ଧଡକନେ ଦୋ (୨୦୧୫), ଜିନ୍ଦେଗୀ ନା ମିଲେଗୀ ଦୋବାରା (୨୦୧୧) ଏବଂ ଲକ୍ ବାୟ ଚାନ୍ସ (୨୦୦୯) ଭଳି ଦମଦାର ଫିଚର ଫିଲ୍ମ ନିର୍ମାଣ କରିଥିବା ଜୋୟା ଅଖତର ଗଲିବୟର ନିର୍ଦ୍ଦେଶନା ଦେଉଛନ୍ତି । ଯାହାର କାହାଣୀ ରଚନା କରିଛନ୍ତି ଜୋୟାଙ୍କ ସହ ଅଧିକାଂଶ ସିନେମାର ରଚନାକାର ଭାବେ ଦାୟିତ୍ୱ ତୁଲାଇଥିବା ରୀମା କାଗତି । ଯିଏ ତଲାସ ଓ ଗୋଲ୍ଡ ଭଳି ଫିଲ୍ମର ବି କାହାଣୀ ଲେଖିଥିଲେ ।
ଫେବୃଆରୀ ୧୪ ଭାଲେଣ୍ଟାଇନ ଡେରେ ଏହି ଫିଲ୍ମ ରିଲିଜ ହେବ ବୋଲି ଜଣାପଡିଛି । ଆଜି ଏହାର ଟ୍ରେଲର ରିଲିଜ ହୋଇଛି । ଯାହାକୁ ୟୁଟୁବରେ ବହୁ ପରିମାଣରେ ଦର୍ଶକଙ୍କ ଆଦୃତି ମିଳିଛି । ତେବେ ଏ ଟ୍ରେଲର ଦେଖି ଅନ୍ଦାଜ ଲଗାଇ ହେଉନାହିଁ , କାହାଣୀ କଣ ହେବାକୁ ଯାଉଛି । ତଥାପି ଏଥିରେ କିଛି ର୍ୟାପର୍ସଙ୍କ ଆୱାଜ ଆସିଛି ।
“ଥଣ୍ଡା କୁଛ୍ ନେହିଁ, ଗରମ ହି ଗରମ ହୈ, ଅଂଗାର ହୈ” । ଏମିତି କିଛି ଶବ୍ଦ ସହ ର୍ୟାପରର ଡେଲି ଲାଇଫ , ପରିବାର ଓ କାହାଣୀର ଅନ୍ୟ କିଛି ପ୍ଲଟ ଦେଖାଇ ଟ୍ରେଲରଟି ପ୍ରସ୍ତୁତ କରାଯାଇଛି । ପାଖାପାଖି ଦେଢ଼ ମିନିଟର ଏହି ଟ୍ରେଲରର ଶେଷ କିଛି ଏମିତି ଟ୍ୟାଗ ଲାଇନ ସହ ଶେଷ ହେଉଛି- “ଅସଲି ହିପ୍ – ହପ୍ ସେ ମିଲାଏଁ ହିନ୍ଦୁସ୍ତାନ କୋ” । ତେବେ ଏହି ଟ୍ରେଲରଟି ଆନାଉନ୍ସମେଣ୍ଟ ଟ୍ରେଲର ହୋଇଥିବା ବେଳେ ଜାନୁଆରୀ ୯ରେ ଗଲିବୟର ସଂପୂର୍ଣ୍ଣ ଟ୍ରେଲର ରିଲିଜ ହେବ ବୋଲି ଜଣାପଡିଛି ।