ମୁମ୍ବାଇ(ଏଟିଆର ବ୍ୟୁରୋ) : ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି , ସେ ହେଉଛନ୍ତି ଆର୍ୟ୍ୟା ବାନାର୍ଜୀ । ଶୁକ୍ରବାର ତାଙ୍କ ମୃତଦେହ ସାଉଥ କୋଲକାତା ସ୍ଥିତ ତାଙ୍କ ଘରୁ ସଂଦିଗ୍ଧ ଅବସ୍ଥାରେ ମିଳିଥିଲା। ଆର୍ୟ୍ୟାଙ୍କ ନାକରୁ ରକ୍ତ ଏବଂ ପାଟିରୁ ବାନ୍ତିର ପ୍ରମାଣ ମିଳିଥିବା ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।
ସୂଚନା ମୁତାବକ,୩୩ବର୍ଷର ଆର୍ୟ୍ୟା କୋଲକାତା ସ୍ଥିତ ଘରେ ନିଜ କୁକୁର ସହ ଏକୁଟିଆ ରହୁଥିଲେ। ଆର୍ୟ୍ୟାଙ୍କ ରୁମରୁ ଅନେକ ଖାଲି ମଦ ବୋତଲ ମିଳିଛି। ସବୁ ଦିନ ତାଙ୍କ ଘରେ କାମବାଲି ଆସୁଥିଲେ। ତାଙ୍କ କହିବା ଅନୁସାରେ ଶୁକ୍ରବାର ସେ ତାଙ୍କ ଘରକୁ ଆସି କବାଟ ବାଡ଼େଇଥିଲେ ଏବଂ ଡାକିଥିଲେ,ସେ ନ ଖୋଲିବାରୁ ଫୋନ୍ ମଧ୍ୟ କରିଥିଲେ।
ଏହା ପରେ ସେ ପଡ଼ୋଶୀଙ୍କୁ ଏବିଷୟରେ ସୂଚନା ଦେଇଥିଲେ ଏବଂ ପୋଲିସକୁ ଏତଲା ଦିଆଯାଇଥିଲା। କବାଟ ଭିତରୁ ବନ୍ଦ ଥିଲା,ପରେ ପୋଲିସ୍ କବାଟ ଭାଙ୍ଗିଥିଲା। ମାମଲାର ତଦନ୍ତ ଏବେ ଜାରି ରହିଛି।ମୃତ୍ୟୁର ଅସଲ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସାମନାକୁ ଆସିବ। ଆର୍ୟ୍ୟା ସିତାର ବାଦକ ନିଖିଳ ବନ୍ଦୋପାଧ୍ୟାୟଙ୍କ ଝିଅ ଥିଲେ।