ମୁମ୍ବାଇ (ଏଟିଆର ବ୍ୟୁରୋ): ରିଅଲିଟି ସୋ’ ବିଗ୍ ବସ୍ ୧୩ ସିଜିନ୍ ର ଗ୍ରାଣ୍ଡ ଫିନାଲ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପ୍ରକୃତରେ ସିଜିନ୍ ୧୩ ର ବିଜେତା କିଏ ହେବେ ସେନେଇ ଦର୍ଶକଙ୍କ ମଧ୍ୟରେ ଦ୍ୱନ୍ଦ ରହିଥିଲା । ଏବେ ଦର୍ଶକଙ୍କ ଦ୍ୱନ୍ଦ ଦୂର ହୋଇଛି ଏବଂ ଶେଷରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଦୀର୍ଘ ଦିନର ଯାତ୍ରା ପରେ ବିଗ୍ ବସ୍ ସିଜିନ୍ ୧୩ ର ବାଜିମାତ୍ କରିଛନ୍ତି ସିଦ୍ଧିର୍ଥ ଶୁକ୍ଳା । ସେହିପରି ସୋ’ ର ଦ୍ୱିତୀୟ ନଂରେ କଶ୍ମୀରର ମଡେଲ ଆସୀମ ରିୟାଜ ରହିଛନ୍ତି ।
ଏହାସହିତ ସୋ’ର ଶୀର୍ଷ ପ୍ରତିଯୋଗୀ ମଧ୍ୟରେ ରଶ୍ମୀ ଦେଶାଇ, ଶହନାଜ ଗିଲ, ପାରସ ଛାୱଡା ଏବଂ ଆରତୀ ସିଂହ ରହିଥିଲେ । ଗତ କିଛି ସପ୍ତାହ ହେବ ଏହି ସୋ’ ଟିଆରପି ତାଲିକାର ଶୀର୍ଷରେ ରହିଥିଲା । ଗ୍ରାଣ୍ଡ ଫିନାଲର କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଶୁକ୍ଳା ଏବଂ ଆସୀମ ରିୟାଜଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲେ ପ୍ରଶଂସକ ।
ଶନିବାର ରାତି ୯ଟାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡ ଫିନାଲରେ ୬ ଜଣ ଫାଇନାଲିଷ୍ଟ ସିଦ୍ଧାର୍ଥ ଶୁକ୍ଳା, ଆସିମ ରିୟାଜ, ଶହନାଜ ଗିଲ୍, ରଶ୍ମୀ ଦେଶାଇ, ଆରତୀ ସିଂହ ଏବଂ ପାରଶ ଛାୱଡା ରହିଥିଲେ । ସର୍ବପ୍ରଥମେ ପାରଶ ଛାୱଡା ୧୦ ଲକ୍ଷ ଟଙ୍କା ନେଇ ସୋ’ରୁ ବାହାରି ପଡିଥିଲେ । ଏହାପରେ ଆରତୀ ସିଂହ, ରଶ୍ମି ଦେଶାଇ, ଶେହନାଜ୍ ଗିଲ୍ ସୋ’ ରୁ ବାହାରିଥିଲେ । ଶେଷରେ ଆସୀମ ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଏହାର ବାଜିମାତ୍ କରିଥିଲେ ସିଦ୍ଧାର୍ଥ । ବିଜେତା ସିଦ୍ଧାର୍ଥଙ୍କୁ ୪୦ ଲକ୍ଷ ଟଙ୍କା ଏକ ଟ୍ରଫି ପ୍ରଦାନ କରାଯାଇଥିଲା ।