ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ଲାଗିଥିବା ପାରିବାରିକ କଳହ ଏବେ ପଦାରେ ପଡିଛି । ସେପଟେ ହ୍ରିତିକ୍ ଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ପୂର୍ବ ପତ୍ନୀ ସୁଜୈନ୍ ଖାଁ । ଛାଡପତ୍ର ପରେ ବି ସେ ସ୍ୱାମୀଙ୍କ ବିପକ୍ଷରେ ନଯାଇ ସପକ୍ଷରେ ଯାଇଛନ୍ତି ।
ସୁଜୈନ୍ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି କି, ‘ ଜୀବନରେ ଏହି ପରିବାରର ସଦସ୍ୟ ହୋଇଥିବା ହେତୁ ମୁଁ ମୋ ଅନୁଭବରୁ ସୁନୈନାଙ୍କୁ ଜାଣିଛି, ସେ ଜଣେ ସୁନ୍ଦର ସ୍ନେହମୟୀ ବ୍ୟକ୍ତି ଯିଏ ଏକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିରେ ପଡିଛନ୍ତି ।’
ସୁଜୈନ ଆହୁରି ମଧ୍ୟ ଲେଖିଛନ୍ତି, ‘ବର୍ତ୍ତମାନ ସୁନୈନାଙ୍କ ପିତାଙ୍କ ଦେହ ଭଲ ନାହିଁ ଏବଂ ତାଙ୍କ ମା ବି ଅସୁରକ୍ଷିତ । ଦୟାକରି ପରିବାରର ଏହି କଠିନ ସମୟକୁ ଇଜ୍ଜତ କରନ୍ତୁ, ପ୍ରତ୍ୟେକ ପରିବାର ଏଭଳି ସମୟ ଦେଇ ଗତି କରିଥାଏ । ଏହି ପରିବାର ସହିତ ଦୀର୍ଘ ଦିନ ଯାଏଁ ଯୋଡି ହୋଇ ରହିବା ହେତୁ ମୁଁ ଏହା କହୁଛି ।’
ନିକଟରେ ସୁନୈନା ଟ୍ୱିଟ୍ କରି ଲେଖିଛନ୍ତି କି, ‘ନର୍କରେ ବଞ୍ଚିବା ଜାରି ରହିଛି..ମୁଁ ଏଥିରେ ଥକି ଗଲାଣି । ଏହି ସମସ୍ତଙ୍କ ମଧ୍ୟରୁ ମୁଁ କଙ୍ଗନାଙ୍କୁ ସମର୍ଥନ କରୁଛି । ’
ଖବରମୁତାବକ, ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭଉଣୀ ବୁଧବାର ଏକ ଟ୍ୱିଟ୍ ଯୋଗେ ଅଭିଯୋଗ ଆଣିଥିଲେ କି ସୁନୈନାଙ୍କ ଉପରେ ରୋଶନ ପରିବାର ହାତ ଉଠାଇଛନ୍ତି । କାରଣ ସେ ଦିଲ୍ଲୀର ଏକ ମୁସଲମାନ ପୁଅକୁ ଭଲ ପାଉଛନ୍ତି ।