ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ସ୍ତ୍ରୀ’ ଖୁବ୍ ଚର୍ଚ୍ଚାରେ ରହିଛି । ନିକଟରେ ଫିଲ୍ମ ନିର୍ଦ୍ଦେଶକ ଅମର କୌଶିକ ତାଙ୍କ ଫିଲ୍ମ ଅନୁଭୁତି ସେୟାର କରିବା ସମୟରେ ଏକ ଲୋମଟାଙ୍କୁରା କଥା କହିଛନ୍ତି । ସୁଟିଂ ବେଳେ ଶ୍ରଦ୍ଧା ଏବଂ ରାଜକୁମାରଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଅଜବ ଅନୁଭବ ହୋଇଥିଲା ବୋଲି ଶ୍ରୀ କୌଶିକ କହିଥିଲେ ।
ଶ୍ରୀ କୌଶିକଙ୍କ କହିବାନୁଯାୟୀ, ‘ଫିଲ୍ମ ସୁଟିଂର ଗୋଟେ ଦିନ ପୂର୍ବରୁ କିଛି ସ୍ଥାନୀୟ ଲୋକ ମୋ ପାଖକୁ ଆସିଥିଲେ ଏବଂ କହିଥିଲେ କି ଆପଣ ଯେଉଁ ରାସ୍ତାରେ ସୁଟିଂ କରୁଛନ୍ତି ତାହା ଭୁତ ଅଞ୍ଚଳ ଏବଂ ସେହି ରାସ୍ତାରେ କେହି ଯିବା ଆସିବା କରନ୍ତି ନାହିଁ’ । ଗାଁ ଲୋକ ମନା କରିବା ପରେ ମଧ୍ୟ ନିର୍ମାତା ଏଥିପ୍ରତି ଧ୍ୟାନ ନ ଦେଇ ସୁଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।
ଫିଲ୍ମ ସୁଟିଂ ସମୟରେ ଅଚାନକ୍ ଅଜବ ଗଜବ ହରକତ ଦେଖିବାକୁ ମିଳିଥିଲା । କେତେବେଳେ କ୍ୟାମେରାର ଫୋକସ୍ କାମ କରୁନଥାଏ ତ ଆଉ କେତେବେଳେ ବିଜୁଳି ସମସ୍ୟା । ଯାହାଫଳରେ ସୁଟିଂରେ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା ।
ଖବରମୁତାବକ, ଫିଲ୍ମ ‘ସ୍ତ୍ରୀ’ର ଟ୍ରେଲର ରିଲିଜ୍ ହୋଇସାରିଛି । ‘ଓ ସ୍ତ୍ରୀ କଲ୍ ଆନା’ ଏଭଳି କାନ୍ଥରେ ଲେଖାହୋଇଥିବା ସହ ଟିଜରର ଶେଷରେ ମହିଳାଙ୍କ ପାଦ ଦେଖିବାକୁ ମିଳିଥିଲା । ଏହାସହିତ ଫିଲ୍ମର ଟ୍ୟାଗ୍ ଲାଇନ ରହିଛିି, ‘ଅବ ହର ମର୍ଦ କୋ ଦର୍ଦ ହୋଗା’ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ଟ୍ରେଲର ଏବଂ ଡାଇଲଗ୍ ଖୁବ୍ ମଜାଦାର ହୋଇଛି । ଫିଲ୍ମଟି ଅଗଷ୍ଟ ୩୧ରେ ବଡ ପରଦାରେ ମୁକ୍ତି ଲାଭ କରିବାକୁ ଯାଉଛି ।