ମୁମ୍ବାଇ (ଏଟିଆର ବ୍ୟୁରୋ): ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରଥମ ଫିଚର ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ମେ’ ୩,୧୯୧୩ରେ ପରଦାକୁ ଆସିଥିଲା । ଏହି ଫିଲ୍ମର ପ୍ରଯୋଜକ ଥିଲେ ଦାଦା ସାହେବ ଫାଲ୍କେ । ଫିଲ୍ମଟି ନିର୍ମାଣ କରିବା ପାଇଁ ଫଟୋଗ୍ରାଫି ଉପକରଣ ଡିଲର ୟଶବନ୍ତ ନାଡକର୍ଣ୍ଣ ତାଙ୍କୁ ସହଯୋଗ କରିଥିଲେ ।
ଏଥିରେ ହରିଶ୍ଚନ୍ଦ୍ର ଭୂମିକାରେ ଦତ୍ତାତ୍ରେୟ ଦାମୋଦର ଦବକେ, ପୁତ୍ର ରୋହିତଶ୍ୱ ଚରିତ୍ରରେ ଦାଦା ଫାଲ୍କେଙ୍କ ପୁତ୍ର ଭାଲଚନ୍ଦ୍ର ଫାଲ୍କେ ଏବଂ ରାଣୀ ତାରାମଣି ଭୂମିକାରେ ଥିଲେ ଆନ୍ନା ଶାଲୁଙ୍କେ ।
ଫିଲ୍ମଟି ନିର୍ମାଣ କରାଯାଉଥିବା ବେଳେ ଦାଦା ସାହେବ ଫାଲ୍କେଙ୍କ ପତ୍ନୀ ଖୁବ୍ ସହାୟତା କରିଥିଲେ । ଏଥିରେ କାମ କରୁଥିବା ପାଖାପାଖି ୫୦୦ ଲୋକଙ୍କୁ ନିଜ ହାତରେ ରୋଷେଇ କରି ଖାଇବାକୁ ଦେଉଥିଲେ ଏବଂ ସେମାନଙ୍କର ବସ୍ତ୍ର ଧୋଉଥିଲେ । ସେତେବେଳେ ଫିଲ୍ମଟି ନିର୍ମାଣ କରିବା ପାଇଁ ୧୫୦୦୦ ହଜାର ଟଙ୍କା ଲାଗିଥିଲା । ଫିଲ୍ମର ପ୍ରିମିୟର ଅଲମ୍ପିଆ ଥିଏଟରରେ ୨୧ ଅପ୍ରେଲ ୧୯୧୩ରେ ହୋଇଥିଲା । ଏବଂ ୩ ମେ’ ୧୯୧୩ ରେ ମୁମ୍ବାଇର କାରନେସନ ସିନେମା ହଲରେ ପ୍ରଦର୍ଶିତ କରାଯାଇଥିଲା । ପାଖାପାଖି ୪୦ ମିନିଟର ଏହି ଫିଲ୍ମଟିକୁ ଦର୍ଶକ ଖୁବ୍ ସମର୍ଥନ କରିଥିଲେ । ଏବଂ ଏହା ସୁପର ହିଟ୍ ହୋଇଥିଲା ।