ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଚାନ୍ଦିନୀ ମାନେ ଶ୍ରୀଦେବୀ ଗତ କିଛି ଦିନ ତଳେ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ତାଙ୍କର ଏହି ଅକାଳ ବିୟୋଗ ସାରା ଦୁନିଆକୁ ସ୍ତବ୍ଧ କରି ଦେଇଥିଲା । ଆଜି ବି ଲୋକମାନଙ୍କ ମନରୁ ଲିଭିନି ସେହି ମୃତ୍ୟୁର ଦିନଟି । ତାଙ୍କର ଅଭିନୟର ଯାଦୁ ଲୋକମାନଙ୍କ ହୃଦୟରେ ଏକ ଘର କରିଦେଇଥିଲା । ଯାହାକୁ ନେଇ ବାରମ୍ବାର ଚର୍ଚ୍ଚା ହେଉଛି । ମେ ୩ ତାରିଖରେ ଆୟୋଜିତ ହୋଇଥିବା ନ୍ୟାସନାଲ ଫିଲ୍ମ ଆୱାର୍ଡ ୨୦୧୮ରେ ଫିଲ୍ମ ‘ମମ୍’ରେ ଶ୍ରୀଦେବୀଙ୍କ ଅଭିନୟକୁ ସମ୍ମାନ ଦେଇ ପୁଣି ଥରେ ପୁରସ୍କୃତ କରାଯାଇଛି । ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ।
ମା’ଙ୍କର ଏହି ପୁରସ୍କାର ଗ୍ରହଣ କରିବା ପାଇଁ ବୋନି କପୁରଙ୍କ ସହିତ ଦୁଇ ଝିଅ ଜାହ୍ନବୀ କପୁର ଏବଂ ଖୁସି କପୁର ବିଜ୍ଞାନ ଭବନଠାରେ ପହଞ୍ଚିଥିଲେ । ସେଠାରେ ଶ୍ରୀଦେବୀଙ୍କ ଦୁଇ ଝିଅଙ୍କୁ ଟ୍ରାଡିସ୍ନାଲ ଲୁକରେ ଦେଖିବାକୁ ମିଳିଥଲା । ଏବଂ ଜାହ୍ନବୀ, ତାଙ୍କ ମା’ଙ୍କ ଶାଢୀ ପିନ୍ଧିଥିଲେ । ଯାହାକୁ ତିଆରି କରିଥିଲେ ଡିଜାଇନର ମନିଷ ମଲହୋତ୍ରା । ଏଥିରେ ଜାହ୍ନବୀ ଖୁବ୍ ସୁନ୍ଦର ଦେଖାଯିବା ସହ ମା’ଙ୍କ ଶାଢୀ ପିନ୍ଧି ପୁରସ୍କାର ଗ୍ରହଣ କରିଥିବାରୁ ତାଙ୍କ ଆଖି ଛଳଛଳ ହୋଇପଡୁଥିଲା ।
ସମ୍ମାନ ଗ୍ରହଣ କରିବା ପରେ ବୋନି କପୁର ଭାରତ ସରକାର ଏବଂ ସୂଚନା ଓ ପ୍ରସାରଣ ବିଭାଗକୁ ଧନ୍ୟବାଦ ଜଣାଇଥିଲେ । ସେହି ସମୟରେ ଡିଜାଇନର ମନିଷ ମଲହୋତ୍ରା କିଛି ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଥିଲେ ।
ଶ୍ରୀଦେବୀ ତାଙ୍କ ଫିଲ୍ମ କ୍ୟାରିୟରରେ ୩୦୦ଟି ଫିଲ୍ମରେ କାମ କରିଥିଲେ । ‘ମମ୍’ ଫିଲ୍ମଟି ତାଙ୍କ ଶେଷ ଫିଲ୍ମ ଥିଲା । ଏହାସହିତ ସେ ବଲିଉଡରେ ତାଙ୍କର ୫୦ ବର୍ଷ ପୂରଣ କରିସାରିଥିଲେ ।