ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଚଳାଇଛି ସିବିଆଇ । ଏହାରି ମଧ୍ୟରେ ମାମଲାର ଫରେନସିକ୍ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ହତ୍ୟାକୁ ଖାରଜ କରି ଦିଆଯାଇଛି । ଏହାପରେ ଏଣିକି ସୁଶାନ୍ତ ଆତ୍ମହତ୍ୟା ଆଙ୍ଗେଲକୁ ନେଇ ତଦନ୍ତ କରିବ ସିବିଆଇ । ସେପଟେ ଏହି ମାମଲରେ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନା ରଣାୱତ ।
ଏହି ମାମଲାରେ ପ୍ରଥମରୁ ହିଁ କଙ୍ଗନା ହତ୍ୟାର ଆଙ୍ଗେଲକୁ ସମର୍ଥନ କରି ଆସୁଛନ୍ତି । ସେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରିଛନ୍ତି । ନିକଟରେ ଫରେନସିକ୍ ରିପୋର୍ଟ ଆସିବା ପରେ ପୁଣି ଥରେ ମାମଲାର କିଛି ନୂତନ ଆଙ୍ଗେଲ ସାମ୍ନାରେ ରଖିଛନ୍ତି ।
ସେ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଲେଖିଛନ୍ତି କି, ଯୁବା ଏବଂ ପ୍ରତିଭାଶାଳୀ ଲୋକେ ଏଭଳି ହିଁ ଗୋଟେ ଦିନ ଉଠି ପାରନ୍ତି ନାହିଁ ଏବଂ ନିଜକୁ ମାରି ଦିଅନ୍ତି । ସୁଶାନ୍ତ କହୁଥିଲେ କି ତାଙ୍କୁ ଧମକା ଯାଉଥିଲା ଏବଂ ଆଉଟକାଷ୍ଟ କରି ଦିଆଯାଇଥିଲା । ତାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଡର ଲାଗୁଥିଲା । ମୁଭି ମାଫିଆ ପାଇଁ ତାଙ୍କୁ ଡର ଥିଲା । ତାଙ୍କୁ ଡର ଥିଲା ସେ ପ୍ରତାଡନାର ଶିକାର ନ ହୁଅନ୍ତୁ । ଯେତେବେଳେ ତାଙ୍କ ଉପରେ ଦୁଷ୍କର୍ମର ମିଛ ଆରୋପ ଲଗାଯାଇଥିଲା ସେହି ସମୟରେ ସେ ମେଣ୍ଟାଲି ଡିଷ୍ଟର୍ବ ହୋଇଯାଇଥିଲେ ।
ସେ ଆହୁରି ମଧ୍ୟ ଲେଖିଛନ୍ତି କି, ଏହି ନୂତନ ଅପଡେଟ ପରେ ଆମ ମନକୁ କିଛି ଏଭଳି ପ୍ରଶ୍ନ ଆସୁଛି ଯାହା ବିଷୟରେ ଆମେ ଜାଣିଛୁ । ସୁଶାନ୍ତ କିଛି ମିଡିଆ ହାଉସ ନାଁ ନେଇଥିଲେ, ଯେଉଁମାନେ ସୁଶାନ୍ତଙ୍କୁ କାମ ଦେବା ପାଇଁ ମନା କରି ଦେଇଥିଲେ ।