ମୁମ୍ବାଇ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ନିକଟରେ ନବଜ୍ୟୋତ ସିଂ ସିଦ୍ଧୁ ବିବାଦୀୟ ବୟାନ ଦେଇଥିଲେ । ସେଥିପାଇଁ ତାଙ୍କୁ ଦର୍ଶକଙ୍କ ରାଗକୁ ସାମ୍ନା କରିବାକୁ ପଡିଥିଲା । ସିଦ୍ଧୁଙ୍କୁ କପିଲ ଶର୍ମା ସୋ’ରୁ ବାହାରକୁ ବାହାର କରିଦେବା ପାଇଁ ମଧ୍ୟ ଦର୍ଶକମାନେ ଚ୍ୟାନେଲକୁ ଦାବି କରିଥିଲେ । ଏହାପରେ ଚ୍ୟାନେଲର ନିଷ୍ପତ୍ତି ଅନୁଯାୟୀ କପିଲ ଶର୍ମା ସୋ’ରୁ ସିଦ୍ଧୁଙ୍କୁ ବାହାର କରାଯାଇ ତାଙ୍କ ସ୍ଥାନରେ ଅର୍ଚ୍ଚନା ପୂରଣଙ୍କୁ ରଖା ଯାଇଥିଲା ।
ଏହାପରେ ସିଦ୍ଧୁଙ୍କୁ ନେଇ ଯେତେବେଳେ କପିଲଙ୍କୁ ପ୍ରଶ୍ନ କରାଗଲା ତେବେ ସେ ଦେଇଥିବା ବୟାନ ଏବେ ବିବାଦ ଘେରରେ । ଗତ ସୋମବାର ଦିନ କପିଲ ଶର୍ମା ଚଣ୍ଡିଗଡ ୟୁନିଭରସିଟି ଯାଇଥିଲେ । ସିଦ୍ଧୁଙ୍କୁ ସୋ’ରୁ ବାହାର କରିଦେବାକୁ ନେଇ ସେଠାରେ ତାଙ୍କୁ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କପିଲ ସିଦ୍ଧୁଙ୍କ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା ।
କପିଲ କହିଥିଲେ କି, ‘ମୋତେ ଲାଗୁଛି କି ଏଥିପାଇଁ କୌଣସି ଠୋସ୍ ରାସ୍ତା ବାହାରିବା ଉଚିତ୍ । ଏଭଳି ଛୋଟ ମୋଟ ଜିନିଷ ହୁଏ, ତା ନୁହେଁ ତାଙ୍କୁ ବ୍ୟାନ୍ କରାଯାଉ । ଆପଣ ମୋତେ କୁହୁନ୍ତୁ ଯଦି ସିଦ୍ଧୁ ଜୀଙ୍କୁ ବାହାର କରିବା ଦ୍ୱାରା ଏହି ମାମଲାର ସମାଧାନ ହେଇଯାଉଛି ତେବେ ସିଦ୍ଧୁ ଜୀ ଏତିକି ବୁଝିଲା ସୁଝିଲା କି ସେ ନିଜେ ଚାଲିଯିବେ ।’
‘ଲୋକଙ୍କୁ ଭୁଲ୍ ପଥରେ ନିଆଯାଉଛି । ମୋତେ ଲାଗୁଛି ଏହି ପ୍ରସଙ୍ଗରେ ଆଲୋଚନା ହେଉ, ଯଦି ପ୍ରକୃତରେ ସମସ୍ୟା ଅଛି ତେବେ ଏହା ଉପରେ ଫୋକସ କରାଯାଉ । ଆପଣ ଯୁବାପିଢୀଙ୍କ ଧ୍ୟାନକୁ ବଦଳାଉଛନ୍ତି , ଯାହାଦ୍ୱାରା ଆମେ ଅସଲ ପ୍ରସଙ୍ଗକୁ ଭୁଲି ଯାଉ’ । କପିଲଙ୍କ ଏହି ବୟାନ ପାଇଁ ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ ।
କେବଳ ଏତିକି ନୁହେଁ ସୋ’ରୁ କପିଲଙ୍କୁ ବାହାର କରିବା ପାଇଁ ଦାବି କରାଯାଇଛି । ଏହାସହିତ ୟୁଜର୍ସ ମାନେ କପିଲଙ୍କୁ ଅନେକ କଥା ଶୁଣାଇଛନ୍ତି । ଏହାସହିତ ତାଙ୍କ ସୋ’କୁ ଦର୍ଶକ ବାୟକଟ୍ ମଧ୍ୟ କରିଦେଇଛନ୍ତି ।