ମୁମ୍ବାଇ (ଏଟିଆର ବ୍ୟୁରୋ): ଅଭିନେତା ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ସମେତ ଅନେକ କଳାକାରଙ୍କ ପରେ ଏବେ ବଲିଉଡ ସଙ୍ଗୀତ ଜଗତର ବର୍ଷିୟାନ କଣ୍ଠଶିଳ୍ପୀ ଲତା ମଙ୍ଗେସକର ସହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି । ଲତା ଘୋଷଣା କରିଛନ୍ତି କି ବଲିଉଡ କଳାକାରଙ୍କ ସହିତ ସେ ମଧ୍ୟ ସହୀଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା କରିବେ ।
ଏକ ଇଣ୍ଟରଭ୍ୟୁ ଜରିଆରେ ସ୍ୱରର ମଲିକା ଲତା ମଙ୍ଗେସକର କହିଛନ୍ତି କି, ସେ ତାଙ୍କ ପିତା ଦିନାନାଥ ମଙ୍ଗେସଙ୍କରଙ୍କ ପୂଣ୍ୟତିଥି ଅବସରରେ ସହୀଦ ହୋଇଥିବା ୪୦ ସିଆରପିଏଫ୍ ଯବାନଙ୍କ ପରିବାରକୁ ଅପ୍ରିଲ ୨୪ରେ ଏକ କୋଟି ଟଙ୍କା ଅନୁକମ୍ପା ରାଶି ଭାବେ ଦାନ କରିବେ । ଏହାସହିତ ପୁଲୱାମା ହମଲାକୁ ନେଇ ସେ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି ।
ଲତାଙ୍କ ପୂର୍ବରୁ ଅଭିନେତା ଅକ୍ଷୟ କୁମାର ‘ଭାରତର ବୀର ଆପ୍’ ଜରିଆରେ ସହୀଦଙ୍କ ପରିବାରଙ୍କୁ ପାଞ୍ଚ କୋଟି ଟଙ୍କା ଦେବେ ବୋଲି କହିଥିଲେ । ଭାରତ ର ବୀର ଆପ୍ ଗୃହ ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ଏକ ସୂତ୍ରପାତ । ଯାହାଫଳରେ ଲୋକେ ନିଜ ଇଛା ଅନୁଯାୟୀ ସହୀଦ ଯବାନଙ୍କ ପରିବାରକୁ ଅନୁକମ୍ପା ରାଶି ଏହି ଆପ୍ ଜରିଆରେ ଦେଇ ପାରିବେ । ଏହାପରେ ଅକ୍ଷୟ କୁମାର ଟ୍ୱିଟ୍ ଜରିଆରେ ଅଫିଲ କରିଥିଲେ କି ପୁଲୱାମା ହମଲା ଏଭଳି ହୋଇଛି ଯାହାକୁ ଆମେ କେବେ ବି ଭୁଲି ପାରିବୁ ନାହିଁ । ଏନେଇ ସମସ୍ତେ ରାଗରେ ଜର୍ଜରିତ କିନ୍ତୁ ଆମକୁ ବୁଝି ସୁଝି କାମ କରିବାକୁ ହେବ । ଏହାସହିତ ଏହି ଆପ୍ ଜରିଆରେ ସହଯୋଗ କରନ୍ତୁ ।
ଏହାବ୍ୟତିତ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ସହୀଦ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ । ସେହିପରି ଶାହରୁଖ ଖାନ୍ ୩ ଲକ୍ଷ ଟଙ୍କା ଘୋଷଣା କରିଥିଲେ ।