ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଉ ନାହାନ୍ତି ଅଜିଜ । ବଲିଉଡ ତଥା ବେଙ୍ଗଲୀ ଏବଂ ଓଡିଆ ଫିଲ୍ମର ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ଦେହାନ୍ତ ହୋଇଛି । ୨ ଜୁଲାଇ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିବା ମହମ୍ମଦ ଅଜିଜ ସଂଗୀତ ଦୁନିଆରେ ରାଜ କରିଥିଲେ । ନିଜ କଣ୍ଠର ଯାଦୁରେ ସେ ଲକ୍ଷ ଲକ୍ଷ ଲୋକମାନଙ୍କୁ ବାନ୍ଧି ରଖି ପାରିଥିଲେ । ତାଙ୍କ ଦ୍ୱାରା ପାଖାପାଖି ୫ ହଜାରରୁ ଅଧିକ ସଂଗୀତ ଗାନ କରାଯାଇଥିବା ଜଣାପଡିଛି ।
ସେ ୧୯୮୨ ମସିହାରୁ ୨୦୧୮ମସିହା ପର୍ଯ୍ୟନ୍ତ ବଲିଉଡ ସହ ଜୋଡି ହୋଇ ରହିଥିଲେ । ପଶ୍ଚିମ ବଙ୍ଗର ଅଶୋକ ନଗରରେ ମହମ୍ମଦ ଅଜିଜ ଜନ୍ମ ଗ୍ରହଣ କରିଥିଲେ । ସେ ବଲିଉଡ ସମେତ ବେଙ୍ଗଲୀ ଓ ଓଡିଆ ଚଳଚିତ୍ରରେ ମଧ୍ୟ ଅନେକ ଗୀତ ଗାନ କରିଛନ୍ତି । ବିଶେଷକରି ଓଡିଆ ଭଜନ ଇଣ୍ଡଷ୍ଟ୍ରୀ ରେ ଅଜିଜଙ୍କ ଦବଦବା ବହୁ ବର୍ଷ ଧରି ରହିଆସିଥିଲା । ସେ ଗାଇଥିବା ଗୀତ ଆଜି ବି ଲୋକଙ୍କ ପସନ୍ଦଯୋଗ୍ୟ ହୋଇରହିଛି ।
ବଲିଉଡର ୯୦ ଦଶକର ବହୁ ଚଳଚିତ୍ରର ଗୀତଗୁଡିକରେ ଅଜିଜଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିଥାଏ । ସେପଟେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଆଜି ବଲିଉଡ ସମେତ ବେଙ୍ଗଲୀ ଓ ଓଡିଆ ଚଳଚିତ୍ର ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।