ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ୱାଜିଦ୍ ଖାନ୍ ଆଉ ନାହାନ୍ତି । ଭାଙ୍ଗିଗଲା ଦୁଇ ଭାଇ ତଥା ସାଜିଦ୍ ଓ ୱାଜିଦ୍ ଙ୍କ ଯୋଡି । ଉଭୟ ମିଳିତ ଭାବେ ଅନେକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । କିନ୍ତୁ ଏବେ ସାଜିଦ୍ ଙ୍କୁ ଛାଡି ସବୁଦିନ ପାଇଁ ଆରପାରିକି ଚାଲି ଯାଇଛନ୍ତି ୱାଜିଦ୍ । ତାଙ୍କର କିଡନୀ ସମସ୍ୟା ଥିବା ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି । ମାତ୍ର ମିଡିଆ ରିପୋର୍ଟ ମୁତାବକ ୱାଜିଦ୍ କରୋନରେ ସଂକ୍ରମିତ ଥିଲେ ।
ୱାଜିଦ୍ ଙ୍କ ପରିବାର ଲୋକଙ୍କ କହିବାନୁଯାୟୀ , କିଡନୀ ଜନିତ ରୋଗରେ ପୀଡିତ ଥିଲେ ୱାଜିଦ୍ । ଦୁଇ ବର୍ଷ ପୂର୍ବରୁ ତାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ତାଙ୍କ ଗଳାରେ ଇଂଫେକ୍ସନ ଥିଲା, ସେ ଚମ୍ବୁରର ସୁରାନା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ପୁରା ବଲିଉଡ ସ୍ତବ୍ଧ ହୋଇଯାଇଛି । ବଲଉଡର ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।
ସାଜିଜ୍-ୱାଜିଦ୍ ସର୍ବ ପ୍ରଥମେ ୧୯୯୮ ମସିହାରେ ସଲମାନ୍ ଖାନ୍ ଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟାୟ’ରେ କ୍ୟାରୟର ଆରମ୍ଭ କରିଥିଲେ । ଏହାପରେ ୧୯୯ ମସିହାରେ ସୋନୁ ନିଗମଙ୍କ ଆଲବମ୍ ‘ଦିୱାନା’ ପାଇଁ ସଙ୍ଗୀତ ଦେଇଥିଲେ । ଯେଉଁଥିରେ ‘ଦ୍ୱିୱାନା ତେରା’, ‘ଅବ୍ ମୁଝସେ ରାତ୍ ଦିନ୍’ ଏବଂ ‘ଇସ୍ କଦର ପ୍ୟାର ହୈ’ ଭଳି ଗୀତ ସାମିଲ ଥିଲା । ଏହାସହିତ ସଲମାନ ଖାନ୍ ଙ୍କ ଫିଲ୍ମରେ ବି ଅନେକ ସଙ୍ଗୀତ ଦେଇଛନ୍ତି ।