ଭଦ୍ରକ (ଏଟିଆର ବ୍ୟୁରୋ) ; ଯାତ୍ରା ପେଣ୍ଡାଲରେ ସବୁବେଳେ ଚହଳ ସୃଷ୍ଟି କରିଥିବା ଲୋକପ୍ରିୟ ଖଳନାୟକ ହେଉଛନ୍ତି ଦୈତାରୀ ପଣ୍ଡା । ତେବେ ନିଜର ରିୟଲ ଲାଇଫରେ ଜଣେ ଭଲ ମଣିଷ ଭାବେ ସମସ୍ତେ ଦୈତାରୀ ପଣ୍ଡାଙ୍କୁ ଜାଣିଛନ୍ତି । କିନ୍ତୁ ଏହି ଭଦ୍ର ମୁଖା ତଳେ ପେଣ୍ଡାଲର ସେହି ଖଳ ପ୍ରକୃତି ମନରେ ରହିଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଯାତ୍ରା ଜଗତର ଜଣେ ସଫଳ କଳାକାର ଲତା ମଣ୍ଡଳ । ଦୈତାରୀ ତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଏମାନଙ୍କ ବାହାଘରର ସନ୍ତକ ହେଉଛି ୨୩ ବର୍ଷ ବୟସର ଏକ ପୁତ୍ର ସନ୍ତାନ । ତାରିଣୀ ଗଣନାଟ୍ୟର ଜିଅନ୍ତା ଶବ ନାଟକରେ ଅଭିନୟ କରିଥିଲେ ଉଭୟ । ଏହି ନାଟକଟି ବହୁତ ସଫଳ ହୋଇଥିଲା । କେବଳ ନାଟକ ନୁହେଁ ଏହି ନାଟକ ମାଧ୍ୟମରେ ଦୈତାରୀଙ୍କ ପ୍ରେମ ମଧ୍ୟ ସଫଳ ହୋଇଥିଲା ଏହି ନାଟକ ମାଧ୍ୟମରେ । ପ୍ରେମକୁ ସଫଳ କରିବାକୁ ଯାଇ ଦୁହେଁ ବିବାହ କରିଥିଲେ ।
ବହୁ ଦିନର ଦାମ୍ପତ୍ୟ ଜୀବନ ମଧ୍ୟରେ ୨ଟି ଛୁଆ ଜନ୍ମଛନ୍ତି । ତେବେ ବଡ ପୁଅଟି ମରିଯାଇଥିବା ବେଳେ ସାନ ପୁଅ ସୋମନାଥକୁ ଏବେ ୨୩ ବର୍ଷ । ଆଜି ପର୍ଯ୍ୟନ୍ତ ସୋମନାଥକୁ ବାପାର ପରିଚୟ ମିଳିପାରିନାହିଁ । ପାଠ ପଢ଼ିବା ସାଙ୍ଗମାନେ ସୋମନାଥକୁ ଅଣବାବୁଆ ବୋଲି କହୁଥିଲେ । ପ୍ରତିଉତ୍ତରରେ ଯେତେବେଳେ ସୋମନାଥ ବାପାର ପରିଚୟ ଦେଉଥିଲେ ସେହି ସମୟରେ ସାଙ୍ଗମାନେ କହୁଥିଲେ ତୋ ବାପା ଘରକୁ କଣ ପାଇଁ ଆସୁନାହାଁନ୍ତି । କେବଳ ପିଲା ବେଳେ ବାପାଙ୍କ ସହ ଗୋଟିଏ ଫଟୋ ଛାଡିଦେଲେ ଏମାନଙ୍କ ପାଖରେ ଆଉ କିଛି ସ୍ମୃତି ନାହିଁ । ସ୍ୱାମୀ ଯେତେ ଅବହେଳା କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମଥାରେ ଦୈତାରୀଙ୍କ ନାଁରେ ସିନ୍ଦୁର ପିନ୍ଧୁଛନ୍ତି ଲତା । ଆଉ ରାତି ପାହିଲେ ହିନ୍ଦୁ ଧର୍ମ ଅନୁସାରେ ସ୍ୱାମୀ ଦୂରରେ ଥିଲେ ମଧ୍ୟ ମୁଣ୍ଡିଆ ମାରନ୍ତି । ପୁଅକୁ ବାପାର ପରିଚୟ ମିଳିବା ପାଇଁ ଏଭଳି ଅଭିଯୋଗ କରିଛନ୍ତି ଲତା ।
ଲତାଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୈତାରୀ । ସେ ମଧ୍ୟ କହିଛନ୍ତି ମୁଁ ଏହି ନାରୀକୁ ଚିହ୍ନି ନାହିଁ । ନାଟକରେ ଅଭିନୟ କରୁଥିବା ସମୟରେ ଏଭଳି ଅନେକ ଆସନ୍ତି । ସମସ୍ତଙ୍କୁ ଚିହ୍ନିବା କଷ୍ଟ । ମୋର କାହା ସହ ସମ୍ପର୍କ ଅଛି ମୋର ମନେ ନଥିବା କହିଛନ୍ତି ଦୈତାରୀ ।