ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ମଶୁର ଅଭିନେତ୍ରୀ ତଥା ଡିମଗର୍ଲ ହେମାମାଳିନୀଙ୍କୁ ହୁଏତ ୭୦ ବର୍ଷ ପୂରିଗଲାଣି । ତଥାପି ସେ ତାଙ୍କର ଅଭିନୟ ଏବଂ ନୃତ୍ୟର ଯାଦୁରେ ଲୋକଙ୍କୁ ବିମୋହିତ କରିଚାଲିଛନ୍ତି । ଆଜ୍ଞା ହଁ ଏବେ ଜାରି ରହିଛି କୁମ୍ଭମେଳା । ଏହି ଅବସରରେ ହେମା ଗୁରୁବାର ସନ୍ଧ୍ୟାରେ ଗଙ୍ଗା ଅବତରଣ ନୃତ୍ୟ ନାଟିକ ପରିବେଷଣ କରି ହଜାର ହଜାର ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି ।
ଏହି କାର୍ଯ୍ୟକ୍ରମଟି ସେକ୍ଟର-୧ ସ୍ଥିତ ଭବ୍ୟ ଗଙ୍ଗା ପେଣ୍ଡାଲରେ ଆୟୋଜନ କରାଯାଇଥିଲା । ଏଥିରେ ହେମା ବ୍ରହ୍ମାଙ୍କ କମଣ୍ଡଳରୁ ପୃଥିବୀ ଉପରେ ତାରଣହରିଣୀ ଗଙ୍ଗା ଅବତରଣ କରିବାଠୁ ନେଇ ପାପମୋଚନୀ ରୂପରେ ମୋକ୍ଷ ଏବଂ ଉଦାରର ଅବିରଳ ରୂପରେ ପ୍ରଭାବିତ ହେବା ପର୍ଯ୍ୟନ୍ତ ଗାଥାକୁ ପୂରା ନୃତ୍ୟରେ ପରିବେଷଣ କରିଥିଲେ । ହେମାଙ୍କର ନୃତ୍ୟ ନାଟିକା ଆରମ୍ଭ ହେଲା ପରେ ପେଣ୍ଡାଲ ଖାଲି କର ତାଳିରେ ଫାଟି ପଡିଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ଅମର ସିଂହ ଉପସ୍ଥିତ ଥିଲେ । ଏହାବ୍ୟତିତ ଅନେକ ଏନଆରଆଇ ଅତିଥିମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ଗଣେଶ ବନ୍ଦନା ତାପରେ ଭାଗୀରଥୀ ତପ ପୁଣି ବ୍ରହ୍ମାଙ୍କ କମଣ୍ଡଳରୁ ଧରାପୃଷ୍ଠରେ ଗଙ୍ଗାଙ୍କ ଅବତରଣ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ନୃତ୍ୟ ନାଟିକା ନିର୍ଦ୍ଦେଶନା ଭୁଷଣ ଦେଇଥିବା ବେଳେ ବେଶ ପୋଷାକ ଦାୟିତ୍ୱ ନୀତା ଲୁଲ୍ଲା ନେଇଥିଲେ । ଏହାସହି ଗୀତ ଗାନ ସୁରେଶ ୱାଡେକର, କବିତା କୃଷ୍ଣମୂର୍ତ୍ତି, ଶଙ୍କର ମହାଦେବନ କରିଥିଲେ ।
ଏହି ନୃତ୍ୟ ନାଟିକା ଜରିଆରେ ହେମାମାଳିନୀ ଗଙ୍ଗାକୁ ନିର୍ମଳ ହେବାର ସନ୍ଦେଶ ଦେଇଛନ୍ତି । ଶେଷରେ ହେମା ଗଣମାଧ୍ୟମକୁ ସାକ୍ଷାତ କରି କୁମ୍ଭମେଳାର ଆୟୋଜନକୁ ଅବିସ୍ମରଣୀୟ ଏବଂ ଅଦ୍ୱିତୀୟ ବୋଲି କହିଥିଲେ ।
ଏହାବ୍ୟତିତ ହେମାମାଳିନୀ ଗୁରୁବାର ସଙ୍ଗମସ୍ଥଳରେ ସ୍ନାନ କରିଥିଲେ । ଏହାପରେ ନଦୀ କୂଳରେ ତ୍ରୀବେଣୀଙ୍କ ପୂଜାର୍ଚ୍ଚନା କରିଥିଲେ ।